ରାୟଗଡା ଶିଶୁ ମନ୍ଦିରରେ  ଛାତ୍ରଙ୍କୁ ପିଟିଲେ ଶିକ୍ଷକ

ରାୟଗଡା,ଏନ୍ଏନ୍ଏସ୍ : ଛାତ୍ରଙ୍କ ମଧ୍ୟରେ ଲାଗିଥିବା କଳହରୁ ମାରପିଟ ଭଳି ଘଟଣା ଘଟିଛି ରାୟଗଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ । ଘଟଣାର ସମାଧାନ କରିବାକୁ ଯାଇ ଶିକ୍ଷକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ଛାତ୍ରଙ୍କୁ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଯାହା ଏବେ ରାୟଗଡାରେ ଚର୍ଚାର ବିଷୟ ପାଲଟିଛି। ଅଭିଭାବକ ଏ ନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଶିକ୍ଷକ ଡି. ଅନୀଲ କୁମାରକୁ ପୁଲିସ୍ ଅଟକ ରଖି ପଚରା ଉଚରା କରୁଛି।
ସୂଚନା ଅନୁଯାୟୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଷଷ୍ଠ ଶ୍ରେଣୀର ଛାତ୍ର ଏ. ଶୁଭ୍ରାଂଶୁ ରାଜ। ମଧ୍ୟାହ୍ନ ଭୋଜନ ପରେ ଶୁଭ୍ରାଂଶୁ କ୍ଲାସରେ ବସି ପଢ଼ୁଥିବା ବେଳେ କିଛି ସହଯୋଗୀ ତାଙ୍କ ଖାତାରେ ଅଶ୍ଲୀଳ ଭାଷା ଲେଖିଥିଲେ। ଶୁଭ୍ରାଂଶୁ ଏହାର ପ୍ରତିବାଦ କରିବା ସହ ଏ ସଂପର୍କରେ ଶିକ୍ଷକ ଡି. ଅନୀଲ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିକ୍ଷକ କ୍ଲାସରୁମକୁ ଆସି ଶୁଭ୍ରାଂଶଙ୍କ ସହଯୋଗୀକୁ ପଚରା ଉଚରା କରିଥିଲେ। କିନ୍ତୁ ସେମାନେ କିଛି ଲେଖିନଥିବା କହିବା ପରେ ଶିକ୍ଷକ ଚାଲି ଯାଉଥିଲେ।

ଏହି ସମୟରେ ଶୁଭ୍ରାଂଶୁ ପୁଣି ଶିକ୍ଷକଙ୍କୁ ଅନୁରୋଧ କରିବା ପରେ ଏଥିରେ ଉତ୍ତ୍ୟକ୍ତ ହୋଇ ଶୁଭ୍ରାଂଶୁ ଚାପୁଡା ମାରିଥିଲେ। ସ୍କୁଲ୍ ଛୁଟି ହେବା ପରେ ଶୁଭ୍ରାଂଶୁ କାନ୍ଦି କାନ୍ଦି ସ୍କୁଲରୁ ବାହାରକୁ ଆସୁଥିବା ଦେଖି କିଛି ଅଭିଭାବକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଶୁଭ୍ରାଂଶଙ୍କ ମାଆ ଅପରାଜିତା ସିଂ ସ୍କୁଲରେ ପହଞ୍ଚି ଘଟଣା ସଂପର୍କରେ ଶିକ୍ଷକ ଅନୀଲକୁ ପଚାରୁଥିବା ସମୟରେ ଶିକ୍ଷକ ଅନୀଏ ଅପରାଜିତାଙ୍କୁ ର୍ଦୁବ୍ୟବହାର କରିଥିଲେ। ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ କଥା କଟାକଟି ହେବା ପରେ ପୁଣି ଶିକ୍ଷକ ଏବଂ ଅପରାଜିତାଙ୍କ ମଧ୍ୟରେ ଚାପୁଡା ମରାମରି ହୋଇଥିଲା ।

ପ୍ରତିବାଦ ସ୍ବରୂପ ଅପରାଜିତା ମଧ୍ୟ ଶିକ୍ଷକଙ୍କୁ ପିଟିବା ସହ ଏ ନେଇ ସ୍କୁଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନା ପାଇ ଟାଉନ୍ ଥାନା ପୁଲିସ୍ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶିକ୍ଷକ ଅନୀଲକୁ ଥାନାକୁ ନେଇ ଅଟକ ରଖିଛି।