ମଦ ବନ୍ଦ ଅଭିଯାନ : ୬୯ ଜଣଙ୍କ ନାମରେ ମାମଲା ରୁଜ୍ଜୁ

ରାୟଗଡ଼ା,ଏନ୍ଏନ୍ଏସ୍ : କରୋନା ମହାମାରୀ ଯୋଗୁଁ ସାରାଦେଶରେ ସମସ୍ତ ବିଦେଶୀ ମଦ ଦୋକାନ ଏବଂ ଦେଶୀ ଭାଟି ଗୁଡ଼ିକୁ ସିଲ୍ କରି ଦିଆଯାଇଛି । ତେବେ ଜିଲ୍ଲାରେ କେତେକ ଅସାଧୁ ମଦ ମାଫିଆ ଅପହଞ୍ଚ ଇଲାକା ଗୁଡ଼ିକରେ ଦେଶୀ ମଦ ରାନ୍ଧି ଏହାର ବ୍ୟବସାୟ ଚଲାଇଥିବା ନେଇ ପୁଲିସ ଏବଂ ଅବକାରୀ ବିଭାଗ ନଜରକୁ ଆସିଥିଲା। ଏ ନେଇ ପୁଲିସ ପ୍ରଶାସନ ଏବଂ ଅବକାରୀ ବିଭାଗର ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉରେ ଚୋରା ମଦ ଜବତ ସହ ଏହି କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଛି। ଏନେଇ ରାୟଗଡା ଜିଲ୍ଲାର ୧୬ ଗୋଟି ଥାନାରେ ୬୯ ଜଣ ମଦ ମାଫିଆଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ଏଥିସହ ସମାନଙ୍କ ଠାରୁ ୮୩୯.୯ ଲିଟର ଦେଶୀ ମଦ, ୫୬.୨ ଲିଟର ପୋଚ ଏବଂ ୭୦ ଲିଟର ସଲପ ଜବତ ହୋଇଛି। ଏହାସହ ମଦ ଚୋରା ଚାଲଣ କରିବା ନିମନ୍ତେ ବ୍ୟବହୃତ ୬ ଗୋଟି ୨ ଚକିଆ ଯାନ ମଧ୍ୟ ଜବତ କରାଯାଇଛି।