କେବିକେ ଜିଲ୍ଲାରେ କୋଭିଡ ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ ଏମପିଙ୍କ ଦାବୀ

ରାୟଗଡ଼ା,ଏନ୍ଏନ୍ଏସ୍ : ଦକ୍ଷିଣ ଓଡ଼ିଶାରେ କରୋନା ମହାମାରୀ ଆକ୍ରାନ୍ତ ସନ୍ଧିଗ୍ଧଙ୍କ ସ୍ୱାବ ନମୁୁନା ପରୀକ୍ଷଣ ସକାଶେ କେବିକେ ଜିଲ୍ଲାରେ ଲ୍ୟାବ ପ୍ରତିଷ୍ଠା ପାଇଁ ଏକ ଭିଡିଓ ବାର୍ତା ଜାରି କରି ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା । ରାଜ୍ୟ ସରକାର ଓ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଗୁଡିକୁ ସ୍ୱାଗତ ଜଣାଇବା ସହିତ ଶ୍ରୀ ଉଲ୍ଲାକା ଭିଡିଓ ଜରିଆରେ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଛନ୍ତି । ଅବିଭିକ୍ତ କୋରାପୁଟ ଓ ପଡ଼ୋଶୀ ଜିଲ୍ଲା କଳାହାଣ୍ଡି କିମ୍ବା ବଲାଙ୍ଗିରଠାରେ କୋଭିଡ ପରୀକ୍ଷା କେନ୍ଦ୍ର ଖୋଲିବାକୁ ସାଂସଦ ଭିଡିଓରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ ତାଲା ବନ୍ଦ ଅବଧିକୁ ମୁଖ୍ୟମନ୍ତ୍ରୀ କାହିଁକି ବୃଦ୍ଧି କଲେ ଏଥିନେଇ ରାଜ୍ୟ ସରକାର ସ୍ପଷ୍ଟ ବିବୃତି ଦିଅନ୍ତୁ । ତାଲା ବନ୍ଦ ଯୋଗୁଁ କୃଷକ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ପାଇଁ ସରକାର ପ୍ୟାକେଜ ଘୋଷଣ କରିବା ଆବଶ୍ୟକ ରହିଛି । ଆଇନଜୀବୀ, ଖବରଦାତା ପ୍ରତିନିଧି ଓ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ପୂଜାରୀମାନଙ୍କ ସକାଶେ ସ୍ୱତନ୍ତ୍ର ଆର୍ଥୀକ ପ୍ୟାକେଜ ଘୋଷଣା କରିବା ଶ୍ରୀ ଉଲ୍ଲାକା ଭିଡିଓରେ ଦର୍ଶାଇଛନ୍ତି। ଏଥିସହିତ ସୁରଟଠାରେ ଫଶି ରହିଥିବା ଓଡିଶାର ଶ୍ରମିକ ତାଲା ବନ୍ଦ ଯୋଗୁଁ ଅତିଷ୍ଟ ହୋଇ ରାସ୍ତାରେ ଓହ୍ଲାଇବା ଘଟଣା ପରେ ରାଜ୍ୟ ସରକାର ଏଥିନେଇ କ’ଣ ପଦକ୍ଷେପ ନେଇଛନ୍ତି। ତାହା ସ୍ପଷ୍ଟ କରିବାକୁ ଭିଡିଓ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ।