ଉନ୍ନୟନ ମୂଳକ ପ୍ରକଳ୍ପ, କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ରାୟଗଡା,ଏନ୍ଏନ୍ଏସ୍ : ରାୟଗଡା ବ୍ଲକ ଓ କୋଲନରା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ରାୟଗଡା ବ୍ଲକ ଅନ୍ତର୍ଗତ ଦେବଦଳା ଗ୍ରାମରେ ଥିବା ଆଦର୍ଶ ଚାଷୀଙ୍କ ଡାଏରୀ ଫାର୍ମ ଓ ନରେଗା ଯୋଜନାରେ ନିର୍ମିତ ଗୁହାଳ ବୁଲି ଦେଖିଥିଲେ। ସେହିପରି କୋଲନରା ବ୍ଲକର ମୁକୁନ୍ଦପୁର ଗ୍ରାମରେ ଚାଷୀ ରବିନ୍ଦ୍ର ନାଥ ନାୟକଙ୍କ ମିଶ୍ରିତ କୃଷି ଫାର୍ମ ପରିଦର୍ଶନ କରିଥିଲେ । ଗୋଟିଏ ଜାଗାରେ ମାଛ ଚାଷ, ବତକ ପାଳନ, ଗୋପାଳନ ସାଙ୍ଗକୁ ଉଦ୍ୟାନ କୃଷି କାର୍ଯ୍ୟ କରାଯାଉଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ।

ଆଗକୁ ଆହୁରି ଭଲ ଭାବରେ ଚାଷ କାମ କରିବା ପାଇଁ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଚାଷ ସମ୍ବନ୍ଧୀୟ ଚାଷୀଙ୍କ ସହିତ ଆଲୋଚନା ବେଳେ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ସମସ୍ୟା କଥା ଚାଷୀଙ୍କ ଠାରୁ ଜାଣିବା ପରେ ବିପଣନ ପାଇଁ ଓରମାସ ଓ ଉଦ୍ୟାନ ବିଭାଗ ଦ୍ୱାରା କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜେ.କେ.ପୁର ସ୍ଥିତ ଇ.ଏସ.ଆଇ ହସ୍ପିଟାଲ ପରିସରରେ ପରିଚାଳିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟର ଅଗ୍ରଗତି ସଂର୍ପକରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଯଥାଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେଠାରେ କାର୍ଯ୍ୟରତ ଚିକିତ୍ସା ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହ ଆଲୋଚନା, ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ସହ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପ୍ରାଣୀଧନ ଚିକିତ୍ସାଧିକାରୀ ଦେବେନ୍ଦ୍ର ନାଥ ବିଶ୍ୱାଳ, କୋଲନରା ବିଡିଓ ଶ୍ରୀଭୋଇ, ମୁକୁନ୍ଦପୁର ସରପଂଚ ପ୍ରମୁଖ ଉପସ୍ଥିତ ଥିଲେ ।