କୋଭିଡ ହସ୍ପିଟାଲରେ ଭେଟିଂଲେଟର ନାହିଁ ପଡୋଶୀ ଜିଲ୍ଲାକୁ ଯାଉଛନ୍ତି ରୋଗୀ

ରାୟଗଡ଼ା,ଏନ୍ଏନ୍ଏସ୍ : ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ଯାଏଁ ଚାଲିଛି ଯୋଜନା ପରେ ଯୋଜନା। ତୃଣମୂଳ ସ୍ତରରେ କରୋନା ସଂକ୍ରମଣ ରୋକିବା ସହ କରୋନା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ପ୍ରତି ଜିଲ୍ଲାରେ ଖୋଲା ଯାଇଛି କୋଭିଡ ହସ୍ପିଟାଲ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲ ଗୁଡିକ ରୋଗୀଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛନ୍ତି। ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ। କରୋନାକୁ ଦୃଷ୍ଟିରେ ରଖି ଗତ ଅପ୍ରିଲ ୧୩ ତାରିଖରେ ରାୟଗଡା ଜିଲ୍ଲା ଜେକେପୁରରେ ଉଦଘାଟନ ହୋଇଛି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର। ହେେଲେ ଏହା କରୋନା ରୋଗୀଙ୍କ କାମରେ ଲାଗୁନାହିଁ।

ଏହି ହସ୍ପିଟାଲରେ ଆଜିଯାଏ ଭେଟିଂଲେଟର ସୁବିଧା ନଥିବାରୁ ଆକ୍ରାନ୍ତ ରୋଗୀକୁ କେତେବେଳେ ଜୟପୁର ତ ଆଉ କେତେବେଳେ ଗଜପତି ଜିଲ୍ଲାକୁ ନେବାକୁ ପଡୁଛି। ଅପରପକ୍ଷେ ଆରଏମଆରସି ପକ୍ଷରୁ ଏଠାରେ ସ୍ୱାବ ନମୁନା ପରିକ୍ଷା ପାଇଁ ମାସେ ପୁର୍ବରୁ ପ୍ରସ୍ତୁତି ସରିଥିବାବେଳେ ପରିକ୍ଷାର ପଦ୍ମ ଘୁଚିଂ ଘୁଚିଂ ଯାଉଛି । ତେବେ ଏନେଇ ରାୟଗଡ଼ା ସିଡ଼ିଏମଓ ଡ. ଆର୍ତବନ୍ଧୁ ନାୟକଙ୍କ କହିବା କଥା ଏଦିଗରେ ଜିଲ୍ଲାପ୍ରଶାସନ ସଜାଗ ରହିଛି ଭେଟିଂଲେଟର ପାଇଁ ଓଡ଼ିଶା ଔଷଧ ନିଗମକୁ ଅର୍ଥ ଡିପୋଜିଟ କରାଯାଇଛି । ସେହିଭଳି ସ୍ୱାବ ନମୁନା ପରିକ୍ଷା ପାଇଁ କିଛି ଟେକନିସିୟନଙ୍କ ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୁରଣପାଇଁ ଆରଏମଆରସି କୁ ଅନୁମତି ମଗାଯାଇଛି। ଅନୁମତି ମିଳିବାପରେ ତୁରନ୍ତ ଏହିସବୁ ପଦବୀ ପୁରଣ କରାଯାଇ ସ୍ୱାବ ନମୁନା ପରିକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ।