ଲାଠି ଛାଡି ହାତ ଜୋଡିଲେ ପୁଲିସ ବାବୁ

ରାୟଗଡା,ଏନ୍ଏନ୍ଏସ୍ : ଲାଠି ଛାଡି ହାତ ଜୋଡିଲେ ପୁଲିସ ବାବୁ । ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ପ୍ରାର୍ଥନା କଲେ ପୁଲିସ ଅଧିକାରୀ। ଏଭଳି ଅଭିନବ ଆଚରଣ ଯୋଗୁଁ ସ୍ଥାନୀୟ ଅଂଚଳରେ ସାବାସି ସାଉଁଟୁଛନ୍ତି ରାୟଗଡା ଟାଉନ ଥାନା ଏଏସଆଇ ପି.ରାଭାଣା। ଲୋକଙ୍କୁ ହାତ ଜୋଡି ନିବେଦନ କଲେ, ଭାଇମାନେ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ଦୂରରେ ରହି କଥା ହୁଅନ୍ତୁ । କରୋନା ମୁକାବିଲା ପାଇଁ ଏହା ଜରୁରୀ ପଦକ୍ଷେ । ନିଜେ ସୁରକ୍ଷିତ ରୁହନ୍ତୁ, ଅନ୍ୟ ଲୋକଙ୍କୁ ସୁରକ୍ଷିତ ରଖନ୍ତୁ । ଏଭଳି କିଛି କଥା କହି ହାତ ଜୋଡି ଲୋକମାନଙ୍କୁ ନେହୁରା ହୋଇ ସମାଜିକ ଦୂରତା ରକ୍ଷା କରିବାକୁ ହାତଜୋଡି ପ୍ରାର୍ଥନା କରିଥିଲେ ଟାଉନ ଥାନା ଏସଆଇ ଏମ ରାଭାଣା ।

ସ୍ଥାନୀୟ ଓଭରବ୍ରିଜ ତଳ ପରିବା ବଜାରରେ ତାଲା ବନ୍ଦ କୋହଳ ସମୟରେ ଲୋକେ ପନିପରିବା କିଣିବା ପାଇଁ ଗହଳି କରିବା ସହିତ ଗୋଟିଏ ଦୋକାନ ସମ୍ମୁଖରେ ଏକାଧିକ ଲୋକେ ଗହଳି କରିଥିବାରୁ ପୁଲିସ ଏଠାରେ ପହଚିଂ ଲୋକଙ୍କୁ ଘୋଡାଇଥିଲା । କିନ୍ତୁ ପୌରପ୍ରଶାସନ ନିର୍ବାହୀ ଅଧିକାରୀ ସଚିଦାନନ୍ଦ ଶତପଥିଙ୍କ ଉପସ୍ଥିତିରେ ମଧ୍ୟ ଲୋକେ ପୁଲିସ ଅଧିକାରୀଙ୍କ କଥା ନଶୁଣିବାରୁ ଏଏସଆଇ ଶ୍ରୀ ରାଭାଣା ଲୋକଙ୍କୁ ହାତ ଜୋଡି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ପରିବା କିଣିବାକୁ ଆସିଥିବା ପ୍ରତ୍ୟେକ ଗ୍ରହକଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ହାତ ଜୋଡି ଅନୁରୋଧ କରିବା ସହିତ ଗୋଟିଏ ସ୍ଥାନରେ ଏକତ୍ରିତ ନହୋଇ ଉପସ୍ଥିତ ଲୋକେ ପୁଲିସକୁ ସହଯୋଗ କରିବାକୁ ସମ୍ପୃକ୍ତ ପୁଲିସ ଅଧିକାରୀ ନିବେଦନ କରିଥିବା ଦେଖବାକୁ ମିଳିଥିଲା ।

ଏସଆଇ ଜଣଙ୍କ ଏଭଳି କାର୍ଯ୍ୟଶୈଳୀଙ୍କୁ ଦେଖି ଉପସ୍ଥିତ ଲୋକେ ପ୍ରଭାବିତ ହୋଇଥିଲେ । ଅନୁରୋଧକୁ ରକ୍ଷା କରିବା ସହିତ ଏଠାରେ ଉପସ୍ଥିତ ସମସ୍ତ ଲୋକେ ଉଭୟଙ୍କ ମଧ୍ୟରେ ସମାଜିକ ଦୂରତା ରକ୍ଷା କରିଥିଲେ। ଯେଉଁଠି ପୁଲିସ ଅଧିକାରୀ ବାଡି ଧରି ଲୋକଙ୍କୁ ବୁଝାଇବା ପାଇଁ ଅସମର୍ଥ ହୋଇ ଥିବାବେଳେ ସେଇଠି ଏଏସଆଇ ହାତ ଜୋଡି ତାହା କରିପାରିଥିବାରୁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । କରୋନା ମହାମାରୀ ମୁକାବିଲା ସକାଶେ ତାଲା ବନ୍ଦ ଘୋଷଣା ହୋଇଛି । ତେଣୁ ଲୋକମାନେ ଆଇନକୁ ସମ୍ମାନ ଦେଇ କେବଳ କହୋଳ ସମୟରେ ଘରୁ ଗୋଡ କାଢ଼ି ଅତ୍ୟାବଶ୍ୟକ ଘରୋଇ ସାମଗ୍ରୀ ତଥା ପନିପରିବା ଆଣିବା ସକାଶେ ବଜାରକୁ ଆସୁଛନ୍ତି । କିନ୍ତୁ ଗୋଟିଏ ସମୟରେ ଏକାଧିକ ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହେଉଥିବାରୁ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହୋଇ ପାରୁ ନାହିଁ । ଯାହାଫଳରେ କରୋନା ମହାମାରୀ ଜଣେ ଲୋକଙ୍କଠୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବା ଅଧିକ ଆଶଙ୍କା ରହୁଛି ।

ଲୋକଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବା ନିମନ୍ତେ ଦୋକାନ ସମ୍ମୁଖରେ ଲକ୍ଷ୍ମଣ ରେଖା ଟଣାଯାଇଛି । କିନ୍ତୁ ଅନେକ ଲୋକ ଏହାକୁ ଖାତିର ନ କରି ଗୋଟିଏ ସ୍ଥାନରେ ଏକାଧିକ ଲୋକେ ଏକତ୍ରିତ ହେଉଛନ୍ତି । ତେଣୁ ଏହା ତାଲା ବନ୍ଦ ନିୟମ ବିରୋଧରେ ହୋଇଥିବାରୁ ଲୋକମାନଙ୍କୁ ଏଭଳି କରବାକୁ ମନା କରାଯାଇଛି । ତେବେ ଅଧିକାଂଶ ଲୋକେ ପୁଲିସ ଅଧିକାରୀଙ୍କ କଥା ଅମାନିଆ କରିଥିବାରୁ ମୁଁ ଲୋକଙ୍କୁ ହାତ ଜୋଡି ନିବେଦନ କରିଥିଲି ବୋଲି ଏଏସଆଇ ଶ୍ରୀ ରାଭଣା ମତବ୍ୟକ୍ତ କରିଛନ୍ତି । ପୁଲିସ ବାବୁ ଜଣକ ହାତ ଜୋଡି ଲୋକଙ୍କୁ ନିବେଦନ କରୁଥିବା ଦେଖ ବଜାରରେ ଉପସ୍ଥିତ ଥିବା ଲୋକେ ସମସ୍ତେ ଏସଆଇଙ୍କ କଥାକୁ ସମ୍ମାନ ଦେଇ ଉଭୟଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଶୃଙ୍ଖଳତାର ସହିତ ପନିପରିବା କ୍ରୟ କରି ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା । ତେବେ ପୁଲିସ ବାବୁଙ୍କ ଏଭଳି ଆଚାରଣ ଖବର ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ଦେଖିବାକୁ ମିଳିଛି ।