ରାୟଗଡାରେ ଆରମ୍ଭ ହେଲା ଇ-ସୁବିଦ୍ୟା

ରାୟଗଡା : ଏନ୍ଏନ୍ଏସ୍ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା । କଲ୍ୟାଣ ବିଭାଗ ଶିକ୍ଷକ, ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ପୂର୍ବକ ଇ-ସୁବିଦ୍ୟା ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ୧୧ଟି ବ୍ଲକରେ ଥିବା ୫୬୦ଟି ହଷ୍ଟେଲର ୬୪ ହଜାର ପିଲା ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। କାର୍ଯ୍ୟକ୍ରମ ମୁତାବକ ପ୍ରତି ଶିକ୍ଷକ ସୋମବାର ରୁ ଶୁକ୍ରବାର ପାଂଚଟି ଗାଁ’କୁ ଯାଇ ଗାଁ’ରେ ଥିବା ପିଲାଙ୍କୁ ୩ ଘଂଟା ବିଭିନ୍ନ ବିଷୟରେ ଶିକ୍ଷାଦାନ କରିବେ। ଏଥିରେ ଗାଁ’ରେ ଥିବା ଅନ୍ୟ ବିଭାଗୀୟ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ବି ଶିକ୍ଷକମାନେ ଶିକ୍ଷାଦାନ ଦେବେ।

ଶୁକ୍ରବାର ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର କର୍ମରତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ନିଜ ବିଦ୍ୟାଳୟ ଆଖପାଖରେ ଚିହ୍ନଟ ହୋଇଥିବା ଗାଁ’କୁ ଯାଇ ପ୍ରଥମେ ପିଲାଙ୍କ ତାଲିକା ପ୍ରସ୍ତୁତ କରିବା ସହ କରୋନା ମହାମାରୀର ଭୟଭୟତା ଓ ତାର ପ୍ରତିକାର ସଂପର୍କରେ ଉଭୟ ପିଲା ଓ ଅଭିଭାବକ ମାନଙ୍କୁ ବୁଝାଇ ଥିଲେ । ପ୍ରଥମରୁ ପଂଚମ ଏବଂ ଷଷ୍ଠରୁ ସପ୍ତମ ଶ୍ରେଣୀ ଅନୁଯାୟୀ ପ୍ରସ୍ତୁତ କନିଷ୍ଠ ଓ ବରିଷ୍ଠ ବର୍ଗର ପିଲାଙ୍କୁ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ, ଇଂରାଜୀ ଆଦି ବିଷୟରେ ଶିକ୍ଷାଦାନ ସହ ପ୍ରକଳ୍ପ କାର୍ଯ୍ୟ ସଂପାଦନ କରିଥିଲେ। ପ୍ରଥମ ଦିନରେ ୨୦୩ ଜଣ ଶିକ୍ଷକ ଜିଲ୍ଲାର ୨୦୩ଟି ଗ୍ରାମକୁ ଯାଇ ୩୦୦୯ ଜଣ ପିଲାଙ୍କୁ ଶିକ୍ଷାଦାନ ପ୍ରଦାନ କରିଛନ୍ତି।

ଅପରପକ୍ଷେ ବିଭାଗୀୟ ପ୍ରତି ବିଦ୍ୟାଳୟ ସ୍ତରରେ ଶ୍ରେଣୀ ଅନୁଯାୟୀ ହ୍ୱାଟସ ଆପ ଗ୍ରୁପ କରାଯାଇ ଇ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଇଛି। ଏଥି ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନେତୃତ୍ୱରେ ଆଠ ଜଣିଆ ଦକ୍ଷତା ସଂପନ୍ନ ଶିକ୍ଷକଙ୍କୁ ନେଇ ଜିଲ୍ଲା ସାଧନ ମଣ୍ଡଳୀ ଗଠନ କରାଯାଇଛି। ଏହି କମିଟି ଇ ପାଠ୍ୟକ୍ରମ ସହ କାର୍ଯ୍ୟକ୍ରମର ସୁପରିଚାଳନା କରିବେ। ସେହିପରି ୨୭ ଜଣ ଦକ୍ଷ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ନେଇ ପ୍ରସ୍ତୁତ ବିଷୟଗତ ସାଧନ କମିଟି ପ୍ରସ୍ତୁତ କରାଯାଇ ଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି।

ପ୍ରଥମ ଦିନରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଓ ଶିକ୍ଷା ମଣ୍ଡଳାଧୀଶ ଶ୍ୟାମ ଘନ ଭୂୟାଁ ଜିଲ୍ଲାର କୋଲନରା ଓ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଶିକ୍ଷାଦାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ।

ଇ ଶିକ୍ଷାଦାନ ଆରମ୍ଭ ହେବା ପରେ ଗାଁରେ ଥିବା ପାଠ ପଢୁଆ ପିଲାଙ୍କ କ୍ଷେତ୍ରରେ ପାଠ ପଢା ପ୍ରତି ଉତ୍ସାହ ଦେଖା ଦେଇଛି। ଯଦି ବିଦ୍ୟାଳୟ ଜୁନ ୧୭ରେ ନ ଖୋଲେ ତେବେ ଏହି ଇ-ସୁବିଦ୍ୟା କାର୍ଯ୍ୟକ୍ରମର ଅବଧି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଶତପଥି ପ୍ରକାଶ କରିଛନ୍ତି।