ଆସନ୍ତାକାଲି ରାୟଗଡା ସହରର ଆଖପାଖ ଅଂଚଳେରେ ୧୪୪ ଧାରା ଜାରି

ରାୟଗଡ଼ା,ଏନ୍ଏନ୍ଏସ୍ : ପୁଣି ରାୟଗଡାକୁ ଆସୁଛି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ। ପ୍ରବାସୀ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଗୁଂଟୁରରୁ ବାହାରିଥିବା ଏହି ଟ୍ରେନ ଆସନ୍ତାକାଲି ସକାଳ ୭ଟା ବେଳେ ରାୟଗଡା ଷ୍ଟେସନରେ ପହଂଚିବ। ଏହି ଟ୍ରେନରେ ରାୟଗଡା ସମେତ ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ମାଲକାନଗିରି ପ୍ରଭୃତି ପଡୋଶୀ ଜିଲ୍ଲାର ପ୍ରାୟ ୪୦୦ ଶ୍ରମିକ ଆସୁଛନ୍ତି । ଏଥିପାଇଁ ରେଳଷ୍ଟେସନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳଷ୍ଟେସନରେ ଶ୍ରମିକମାନେ ଓହ୍ଳାଇବା ପରେ ସେମାନଙ୍କ ପଞ୍ଜିକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ସମେତ ଖାଦ୍ୟପେୟ ଓ ବିଶ୍ରାମ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଶ୍ରମିକମାନଙ୍କ ସୁରକ୍ଷା ସହ ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆସନ୍ତା କାଲି ସକାଳ ୫ଟା ଠାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରାୟଗଡା ସହର ସମେତ ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି। ପିତାମହଲ ଠାରୁ ଜେକେ ରୋଡ, ରେଳଷ୍ଟେସନ, ଜେଏସକୋ ଠାରୁ ନ୍ୟୁବସଷ୍ଟାଣ୍ଡ ରାସ୍ତାରେ ଲୋକଙ୍କ ସମାଗମ ଓ ଯାତାୟତକୁ ବାରଣ କରାଯାଇଛି। ଆସନ୍ତାକାଲି ଅପରାହ୍ନରେ ଆସିଥିବା ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କ ନିଜନିଜ ଜିଲ୍ଲାକୁ ପଠାଇବାର ବନ୍ଦୋବସ୍ତ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ।