ରାୟଗଡ଼ାକୁ ସ୍ୱତନ୍ତ୍ର ଟ୍ରେନରେ ଫେରିଛନ୍ତି ପ୍ରବାସୀ ଜିଲ୍ଲାରାଜ୍ୟ By Nitidin On May 14, 2020 Share ରାୟଗଡ଼ା,ଏନ୍ଏନ୍ଏସ୍ : ପ୍ରଥମ ଥର ପାଇଁ ଆଜି ଜିଲ୍ଲାକୁ ଟ୍ରେନ ଯୋଗେ ଫେରିଛନ୍ତି ପ୍ରବାସୀ ଶ୍ରମିକ । ତାମିଲନାଡ଼ୁ ରାଜ୍ୟର ତିରିପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ପହଂଚିଛି ପ୍ରଥମ ସ୍ୱତନ୍ତ୍ର ଶୁଭଯାତ୍ରା ଟ୍ରେନ । ଏହି ଟ୍ରେନ ଓଡ଼ିଶାର ରାୟଗଡ଼ା , ବଲାଙ୍ଗିର ଦେଇ ବାଲେଶ୍ୱର ଅଭିମୁଖେ ଯାଇଛି । ରାୟଗଡ଼ାକୁ ଅବିଭକ୍ତ କୋରାପୁଟ , ଗଜପତି , କନ୍ଧମାଳ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ ଫେରିବା ଷ୍ଟେସନ ଭାବେ ଚିହ୍ନଟ କରାଯାଇଛି । ତେବେ ପ୍ରଥମ ଟ୍ରେନ ସକାଳ ୮ ଟାରେ ତାମିଲନାଡ଼ୁ ରାଜ୍ୟର ତିରିପୁରରୁ ପହଂଚି ଥିଲା । ଏଥିରେ ନବରଙ୍ଗପୁର ଜିଲ୍ଲାର ୫୬ ଜଣ , ଗଜପତି ଜିଲ୍ଲାର ୨୬ ଜଣ , କୋରାପୁଟ ଜିଲ୍ଲାର ୬ ଜଣ , କନ୍ଧମାଳ ଜିଲ୍ଲାର ୬ ଜଣ ଏବଂ ରାୟଗଡ଼ା ଜିଲ୍ଲାର ୨୬ ଜଣ ଓହ୍ଲାଇଥିଲେ । ଶ୍ରମିକଙ୍କ ଘର ବାହୁଡ଼ା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ରେଳଷ୍ଟେସନରେ ୧୦ଟି କାଉଂଟର ଖୋଲାଯାଇଥିବା ବେଳେ ପ୍ରଥମେ ଶ୍ରମିକଙ୍କ ଥର୍ମାଲ ଟେଷ୍ଟ ପରେ ରେଜିଷ୍ଟେସନ କରାଯାଇ ହାତରେ ଅଲିଭା କାଳିର ଷ୍ଟାମ୍ପ ଦିଆଯାଇଛି । ପରେ ସମ୍ପୃକ୍ତ ଜିଲ୍ଲାରୁ ଆସିଥିବା ନୋଡ଼ାଲ ଅଫିସରଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଅଫିସରମାନେ ନିଜନିଜ ଜିଲ୍ଲାରୁ ଆଣିଥିବା ବସରେ ପୁଲିସର ପ୍ରହରାରେ ନିଜଜିଲ୍ଲାକୁ ଫେରିଛନ୍ତି । ସେହିଭଳି ଦିନ ୧.୩୦ ମିନିଟରେ ଆନ୍ଧ୍ରପ୍ରଦେଶର ଗୁଂଟୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ପହଂଚିଛି ଦ୍ୱିତୀୟ ସ୍ୱତନ୍ତ୍ର ଶୁଭଯାତ୍ରା ଟ୍ରେନ। ଏହି ଟ୍ରେନରେ ମଧ୍ୟ ସମାନ ଜିଲ୍ଲାର ୮୮ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ । ଏଥିରେ ନବରଙ୍ଗପୁର ଜିଲ୍ଲାର ୧୪ ଜଣ , ଗଜପତି ଜିଲ୍ଲାର ୧ ଜଣ , କୋରାପୁଟ ଜିଲ୍ଲାର ୩୫ ଜଣ , କନ୍ଧମାଳ ଜିଲ୍ଲାର ୭ ଜଣ ଏବଂ ରାୟଗଡ଼ା ଜିଲ୍ଲାର ୩୧ ଜଣ ଶ୍ରମିକ ଆସିଛନ୍ତି । ଏମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟ ସକାଳର ଭଳି ନିତି ନିୟମ ଅନୁସାରେ ନିଜ ନିଜ ଜିଲ୍ଲାକୁ ପଠାଇ ଦେଇଥିବା ସୁଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ରାଜ୍ୟରେ ବିଭିନ୍ନ ରାଜ୍ୟରୁ ଫେରନ୍ତା ଶ୍ରମିକଙ୍କ ମଧ୍ୟରେ ଅନେକ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଶ୍ରମିକଙ୍କୁ ସୁରକ୍ଷା ଏବଂ ସାଧାରଣ ଲୋକଙ୍କୁ ସଂକ୍ରମଣରୁ ରୋକିବା ପାଇଁ ପ୍ରଶାସନ ପିତାମହଲରୁ ଜେକେପୁର , ରେଲୱେ ଷ୍ଟେସନରୁ ଜେଏସକୋ କଲୋନି , ନୁଆ ବସଷ୍ଟାଣ୍ଡରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ବ୍ଲକ ଅଫିସ ଲାଇନ , ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଲାଇନ ଏବଂ ସମଗ୍ର ରେଳଷ୍ଟେସନ ଅଚଂଳରେ ୧୪୪ ଧାରା ଆଜି ସଧ୍ୟା ୭ ଟା ପର୍ଯ୍ୟନ୍ତ ଲାଗୁ କରାଯାଇଥିବା କହିଛନ୍ତି ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ । Share