କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଗ୍ରାମବାସୀଙ୍କ ବିରୋଧ

ରାୟଗଡ଼ା,ଏନ୍ଏନ୍ଏସ୍: କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନେଇ ଗ୍ରାମବାସୀଙ୍କ ବିରୋଧ। ପ୍ରବାସୀ ଶ୍ରମିକଙ୍କୁ ଗାଁରେ ରଖିବା ପାଇଁ ବିରୋଧ କରୁଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅର୍ନ୍ତଗତ କୋଡ଼ାପାଡ଼ି ଗ୍ରାମରେ। ଏହି ଗାଁର ଲୋକେ ନିଜ ଗାଁ ସ୍କୁଲରେ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ରହିବା ପାଇଁ ବିରୋଧ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଏଠାକୁ ରାୟଗଡ଼ା ଉପଜିଲ୍ଲାପାଳ ଆସିଥିବା ବେଳେ ଗାଁ’ ଲୋକେ ତାଙ୍କୁ ଗାଁ’ ଭିତରକୁ ନ ଛାଡ଼ିବା ସହ ଏଠାରେ କ୍ୱାରେଣ୍ଟାଇନ୍ ସେଣ୍ଟର ପାଇଁ ମନା କରିଥିଲେ। ଆଜି ତହସିଲଦାର ଯିବା ପରେ ମଧ୍ୟ ଏକା ଅବସ୍ଥା। ଗ୍ରାମବାସୀ ପ୍ରବଳ ବିରୋଧ କରିବାରୁ ବାଧ୍ୟ ହୋଇ ପୁଲିସ ଫୋର୍ସର ମୁତୟନ କରାଯାଇଛି। ଗାଁ’ରେ ବାହାର ଜିଲ୍ଲାରୁ ଆସୁଥିବା ଶ୍ରମିକମାନଙ୍କୁ ରଖିଲେ ସେମାନଙ୍କ ଠାରୁ କରୋନା ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହାକୁ ବିରୋଧ କରୁଥିବା କହିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଲୋକଙ୍କୁ ବୁଝାସୁଝା କରାଯାଇ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡ଼ା ତହସିଲଦାର ଉମାକାନ୍ତ ବେହେରା।