କାମରେ ଆସୁନି ରାୟଗଡ଼ା ପୌରସଂସ୍ଥାର କମ୍ୟୁନିଟି ପାଇଖାନା

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି । ସହରରେ ପାଖାପାଖି ୬୦ରୁ ଅଧିକ ବସ୍ତି ଗଢି ଉଠିଥିବାବେଳେ ଲୋକମାନଙ୍କୁ ସ୍ୱଚ୍ଛ ଭାରତ ମିଶନ ଯୋଜନା ମାଧ୍ୟମରେ ପ୍ରଶାସନ ପକ୍ଷରୁ ପାଇଖାନା ଯୋଗାଇବାର ବ୍ୟବସ୍ଥା କରାଯାଉନାହିଁ। ଯାହାଫଳରେ ଲୋକେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ହାତ ଗଣତି କିଛି ବସ୍ତିରେ ପାଇଖାନା ପ୍ରଦାନ କରାଯାଇଥିବାବେଳେ ଜଳଯୋଗାଣ ହୋଇପାରୁନଥିବାରୁ ଅନେକ ପାଇଖାନା ଏବେ ବ୍ୟବହାର ଉପଯୋଗୀ ହୋଇପାରୁନି । ଏଭଳି ସ୍ଥଳରେ ଦୁଇବର୍ଷ ପୂର୍ବେ ରାୟଗଡା ପୌରପରିଷଦ ଆମ ଶୌଚାଳୟ ମାଧ୍ୟମରେ ବିଭିନ୍ନ ବସ୍ତିରେ କମ୍ୟୁନିଟି ପାଇଖାନା ସ୍ଥାପନ କରିଛି । କିନ୍ତୁ ନିମ୍ନମାନର ପାଇଖାନା ନିର୍ମାଣ ଯୋଗୁଁ ତାହା ଏବେ ଲୋକଙ୍କ ବ୍ୟବହାରଯୋଗୀ ହୋଇପାରୁନି । ଛୋଟଛୋଟ ମଳ ଟାଙ୍କି ନିର୍ମାଣ ହୋଇଥିବାବେଳେ ଟାଙ୍କି ଗୁଡିକ ଏବେ ପୂର୍ଣ୍ଣ ହୋଇଯାଇଥିବାବେଳେ ତାକୁ ପୌରପରିଷଦ ନିୟମିତ ସଫା କରୁନଥିବା ଅଭିଯୋଗ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ରାୟଗଡା ପୌରପରିଷଦ ଅନ୍ତର୍ଗତ ୧୦ ନଂମ୍ବର ୱାର୍ଡର ଆଦିବାସୀ ସାହିରେ ଦେଖିବାକୁ ମିଳିଛି । ଏହି ବସ୍ତିରେ ପ୍ରାୟ ୫୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଅଧିକାଂଶ ଲୋକଙ୍କ ବ୍ୟକ୍ତିଗତ ପାଇଖାନା ନାହିଁ ।

ଏନେଇ ଲୋକେ ବାରମ୍ବାର ଦାବି କରିବା ପରେ ପୌରପରିଷଦ ପକ୍ଷରୁ ଏକ କମ୍ୟୁନିଟି ପାଇଖାନା ନିର୍ମାଣ କରାଯାଇଥିଲା । କିନ୍ତୁ ଦୀର୍ଘ ଦିନ ହେବ ତାହା କାମରେ ଲାଗୁନଥିବା ବେଳେ ଲୋକଙ୍କ ମଧ୍ୟରେ ଏବେ ଅସନ୍ତୋଷ ଦେଖାଦେଇଛି। ତେବେ ପାଇଖାନା ସଫା କରିବା ପାଇଁ ଲୋକେ ଗତ ୪ ମାସତଳେ ପୌରପରିଷଦ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ କୌଣସି ସୁଫଳ ମିଳିନାହିଁ । ଏନେଇ ପୌରପରିଷଦ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପ୍ରତିକାର କରାଯାଉନି ବୋଲି ଅଭିଯୋଗ କରିଛନ୍ତି ଆଦିବାସୀ ବସ୍ତିର ଲଛନା ପୁଆଲା ଓ ଗୁମ୍ଫା ସ୍ୱାମୀ ।  ପୌରପରିଷଦର କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିଆ ନେବାକୁ ଚାହିଁଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିଆ ଦେଇନଥିଲେ ।