ମୁଖ୍ୟମନ୍ତ୍ରୀଙ୍କୁ ଭେଟି କେନ୍ଦ୍ରକୁ ଡିପିଆର ପଠାଇବା ପାଇଁ ଅନୁରୋଧ କରିବ ଏକ୍ସନ କମିଟି

ରାୟଗଡା,ଏନ୍ଏନ୍ଏସ୍ : ରାୟଗଡା ଠାରେ ଏକ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା ନିମନ୍ତେ ଏବେ ଆନ୍ଦୋଳନ ଯୋର ଧରିଲାଣି । ଏ ନେଇ ଜିଲ୍ଳାର ସମସ୍ତ ସଂଗଠନ ଏକ ହୋଇ ଏକ ସ୍ୱରରେ ଦାବି ଉତୋଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ବିଭିନ୍ନ ବ୍ୟବସାୟୀ ସଂଗଠନ ଗୁଡିକର ସଭାପତି ଓ ସଭ୍ୟମାନଙ୍କୁ ନେଇ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରୀ ମେଡିକଲ କଲେଜ ଏକ୍ସନ କମିଟି ନାମରେ ଏକ ଫୋରମ୍ ଗଠନ କରାଯାଇଛି । ଏହି ଫୋରମ ଆସନ୍ତା ଦିନରେ ଶାସକ ଦଳର ନେତୄମଣ୍ଡଳିଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ରାୟଗଡ ଠାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆଲୋଚନା କରିବାପାଇଁ ନିଷ୍ପତି ହୋଇଛି ।

ଏହା ସହ ରାଜ୍ୟ ସରକାରଙ୍କ ତରଫରୁ ଡିପିଆର ପ୍ରସ୍ତୁତ କରି କେନ୍ଦ୍ର ନିକଟରେ ରାୟଗଡାରେ ଏକ ସରକାରୀ ମେଡିକାଲ କଲେଜ ଖୋଲିବା ପାଇଁ ଅନୁରୋଧ ଓ ଦାବି ଉପସ୍ଥାପନା କରିବେ ବୋଲି ସ୍ଥିର ହୋଇଛି । ସେହିପରି ରାୟଗଡ ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଜିଲ୍ଳାର ସମସ୍ତ ସଂଗଠନ ସମର୍ଥନ କରୁଥିବା ନେଇ ବ୍ୟାନ ମାଧ୍ୟମରେ ଉପସ୍ଥାପନା କରି ଜିଲ୍ଳାର ସମସ୍ତ ଅଂଚଳରେ ଲଗେଇବା ସହ ଜିଲ୍ଳାର ୧୧ଗୋଟି ପଂଚାୟତ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପୂରଣ ପାଇଁ ଚିଠି ପ୍ରେରଣ କରାଯିବା ପାଇଁ ଅନୁରୋଧ କରାଯିବ ବୋଲି ସ୍ଥିର ହୋଇଛି । ଏହି ବୈଠକରେ ଆବାହକ ଚନ୍ଦ୍ରମୈାଳି କୁମୁନ୍ଦନ , ରଂଜନ ରଥ, ଅଜିତ ଜୈନ, ବାଦଲ କୁମାର ତା’, ସୁନୀଲ ପଣ୍ଡା, ଗୋବିନ୍ଦ ରଥ, ବ୍ରଜସୁନ୍ଦର ନାୟକ, ଶକ୍ତି ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ସଂଗଠନ ଗୁଡିକର ସଭାପତି ଓ ସଭ୍ୟମାନେ ଯୋଗ ଦେଇଥିଲେ ।

କେନ୍ଦ୍ର ସରକାର ଭାଏବିଲିଟି ଗ୍ୟାପ ଫଣ୍ଡିଙ୍ଗ ମାଧ୍ୟମରେ ରାୟଗଡା ଜିଲ୍ଳାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ସମ୍ମତି ଦେଇଥିଲେ । ଗତ ୨୦୧୪ ମସିହାରେ ଜିଲ୍ଳାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩୨୭.୪୦କୋଟି ଟଙ୍କା ବ୍ୟୟରେ ରାୟଗଡା ଠାରେ ମେଡିକାଲ କଲେଜ ତଥା ହଷ୍ଟେଲ ନିର୍ମାଣ ପାଇଁ ଚାହୁଁଥିବା କଥା ବିଧାନସଭାରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥି ପାଇଁ ସରକାରୀ ସ୍ତରରେ ରାୟଗଡା ଠାରେ ୨୦-୨୫ଏକର ଜାଗା ମଧ୍ୟ ଚିହ୍ନଟ ହୋଇଥିଲା ।

ଅପରପକ୍ଷେ ବର୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସାରା ଦେଶର ଆକାଂକ୍ଷି ଜିଲ୍ଳା ଗୁଡିକରେ ୭୫ଗୋଟି ନୂଆ ମେଡିକଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । ସେହିପରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ୨୦୦ଶଯ୍ୟାର ପ୍ରାବଧାନ ଥିବ ସେଠାରେ ଅଗ୍ରାଧିକାର ଭିତିରେ ମେଡିକଲ କଲେଜ ପ୍ରତିଷ୍ଠା ପାଇଁ ଅନୁଦାନ ଯୋଗାଇ ଦିଆଯିବ ବୋଲି ନିୟମ ରହିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ପଛୁଆ ତଥା ଗରିବ ରାୟଗଡ ଜିଲ୍ଳା ନୀତି ଆୟୋଗର ଆକାଂକ୍ଷି ଜିଲ୍ଳାରେ ସାମିଲ ହୋଇଥିବା ଏବଂ ଏଠାରେ ବର୍ତ୍ତମାନ ୩୦୦ ଶଯ୍ୟା କ୍ଷମତା ସରକାରୀ ମେଡ଼ିକାଲ ଚାଲୁଥିବାରୁ ଏଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିର୍ମାଣ ପାଇଁ ରାୟଗଡ ଜିଲ୍ଳା ଯୋଗ୍ୟ ଓ ହକଦାର ରହିଛି ।