ରାୟଗଡ଼ା,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟଙ୍କ କଟକଣାପରେ କଡ଼ା ସୁରକ୍ଷା ମଧ୍ୟରେ ସରିଛି ରାୟଗଡ଼ା ଜିଲ୍ଲାରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା। କାଶୀପୁର ବ୍ଲକ ସଦରମହକୁମାରେ ତିନି ଠାକୁର ପହଣ୍ଡି ହୋଇ ରଥାରୂଢ ପରେ ପ୍ରତୀକ ରଥ ଟଣାପରେ ରାୟଗଡ଼, ବିଷମକଟକ, କଲ୍ୟାଣସିଙ୍ଗପୁର, ପାଇକପଡ଼ା, ମୁନିଗୁଡ଼ା ଏବଂ ଗୁଣପୁରରେ ତିନି ଠାକୁରଙ୍କ କେବଳ ବେଢ଼ା ଭିତରେ ବିଧି ମୁତବକ ନୀତିକାନ୍ତି ସମ୍ପନ୍ନ ହୋଇଛି। ଆଜି ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଭୋର ୫ ଟାରେ ପହଡ ଉଠିବାପରେ ମଙ୍ଗଳ ଆଳତି, ଅବକାଶ, ତଡ଼ପଲାଗି ନୀତି ସାରିବାପରେ ମଧ୍ୟାହ୍ନରେ ଖେଚୁଡି ଭୋଗ ହୋଇଥିଲା। ଅପରାହ୍ଣରେ ସେବାୟତଙ୍କ ଦ୍ୱାରା ଦୁଇଠାକୁରଙ୍କୁ ସେରେଣା ପଟ୍ଟା ଲାଗିପରେ ପହଣ୍ଡି ଆରମ୍ଭ ହୋଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। କାରୋନା କଟକଣା ଯୋଗୁଁ ଆଜି ମଧ୍ୟ ଅନେକ ଭକ୍ତ କାଳିଆ ସାଆନ୍ତଙ୍କ ଦର୍ଶନ ନପାଇ ଫେରି ଯାଇଥିବା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଖିଆଗରେ ରଖି ମନ୍ଦିର ପରିସରରେ ପୁଲିସ ଛାଉଣୀ କରାଯାଇଥିବା ବେଳେ ମନ୍ଦିର ବାହାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା।