ନିଜେ ଶହେରୁ ଅଧିକ ଶବ ବୋହିଥିଲେ, ହେଲେ ନିଜ ଶବକୁ ମିଳିଲାନି କାନ୍ଧ

ରାୟଗଡା,ଏନ୍ଏନ୍ଏସ୍: ନିଜେ ଶହେରୁ ଅଧିକ ଶବ ବୋହିଥିଲେ। ହେଲେ ନିଜ ଶେଷଯାତ୍ରା ବେଳକୁ କାନ୍ଧ ଦେବାକୁ କେହି ଆସିଲେନାହିଁ। ମୃତଦେହ ୪ଘଣ୍ଟା ପଡ଼ି ରହିବାପରେ ସ୍ଥାନୀୟ ଯୁବକମାନେ ପିପିଇ କିଟ୍ ପିନ୍ଧି ଟ୍ରଲିରେ ବୋହି ନେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଡ଼ାରି ଏନ୍ଏସିରେ। ଶବଦାହ ପରେ ଶେଷକୃତ୍ୟରେ ସାମିଲ୍ ହୋଇଥିବା ୩ ଯୁବକ ହୋମ୍ କ୍ୱାରାଣ୍ଟିନରେ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗୁଡ଼ାରି ବାରାଟମ ସାହିର ବି. କାରୁବୁ (୬୪) ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ରବିବାର ମଧ୍ୟାହ୍ଣରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଗୁରୁତର ହୋଇପଡିଥିଲେ। ଦିନ ପ୍ରାୟ ୧ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପଡୋଶୀ ଲୋକେ କେହି ତାଙ୍କ ଘରୁକୁ ଆସିଲେନାହିଁ। ଶେଷରେ ଗୁଡାରିର ୩ ଯୁବକ ରଞ୍ଜନ କୁମାର ରଥ, ରଘୁନନ୍ଦନ ସାହୁ, ଚିନାରୀ ନାଗାରାଜୁଙ୍କ ଶେଷକୃତ୍ୟ ପାଇଁ ଅଣ୍ଟା ଭିଡ଼ିଥିଲେ। ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପିପିଇ କିଟ୍ ଆଣି ପିନ୍ଧିବା ପରେ ଅପରାହ୍ଣରେ ମୃତଦେହକୁ ଏକ ଟ୍ରଲିରେ ଶ୍ମଶାନକୁ ନେଇଥିଲେ। ସଂଧ୍ୟାରେ ବଂଶଧାରା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ବି. ସନ୍ତୋଷ ମୁଖାଗ୍ନି ଦେଇଥିଲେ।