ୟଙ୍ଗ୍ ଇଣ୍ଡିଆ ମୁଭମେଣ୍ଟ ଖାରଜ ପରେ ବିଜେପିର କଂଗ୍ରେସକୁ ସମାଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସର ୟଙ୍ଗ ଇଣ୍ଡିଆ ମୁଭମେଣ୍ଟକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୟଙ୍ଗ ଇଣ୍ଡିଆ ସଂସ୍ଥାକୁ ଏକ ଦାତବ୍ୟ ଅନୁଷ୍ଠାନ ବିବେଚନା କରିବା ସମ୍ପର୍କିତ ଆବେଦନକୁ ଆୟକର ବିଭାଗ ପକ୍ଷରୁ ଖାରଜ କରାଯିବାପରେ ବିଜେପି କଂଗ୍ରେସର ସମାଲୋଚନା କରିଛି।

କଂଗ୍ରେସ, ପରିବାର ଏବଂ ବ୍ୟବସାୟ ସବୁବେଳେ ପରସ୍ପରର ହାତ ଧରାଧରି ଚାଲିଥାନ୍ତି ଏବଂ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ବିଜେପି ଅଭିଯୋଗ କରିଛି। ଏଥିସହ ସେ କହିଛନ୍ତି ଯେ ୨୦୦୮ ମସିହାରେ ନ୍ୟାସନାଲ୍‍ ହେରାଲ୍ଡ ସମ୍ବାଦପତ୍ର ବନ୍ଦ ହେବା ପରେ ମଧ୍ୟ ଏହି ଖବର କାଗଜକୁ ୯୦ କୋଟି ଟଙ୍କା ଦିଆଯିବା ସହ ୨ହଜାର କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସରକାରୀ ସମ୍ପତ୍ତି ଆସୋସିଏଟ୍‍ ଜର୍ଣ୍ଣାଲ୍‍ ଲିମିଟେଡ୍‍କୁ ହସ୍ତାନ୍ତର କରାଯାଇଥିଲା।

ପ୍ରସାଦ କହିଛନ୍ତି, ୨୦୧୦ ମସିହାରେ ୟଙ୍ଗ୍‍ ଇଣ୍ଡିଆ ଲିମିଟେଡ୍‍ ଗଠନ କରାଯାଇ ଏହାକୁ ଏକ ଦାତବ୍ୟ ସଂସ୍ଥାର ପରିଚୟ ଦିଆଯିବା ସହ ଏହାକୁ ଆୟକର ମୁକ୍ତ କରାଯାଇଥିଲା। ଆୟକର ଛାଡ଼ ପାଇବା ପାଇଁ କଂଗ୍ରେସ ଏସବୁ ତଥ୍ୟ ଗୋପନ ରଖିଥିଲା ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି। ବିଜେପି ଏଭଳି ହୀନ କାର୍ୟ୍ୟର ଦୃଢ଼ ନିନ୍ଦା କରେ ବୋଲି ସେ କହିଛନ୍ତି।