ଅଦିନରେ ମୁମ୍ବାଇରେ ଆୟୋଜନ ହେଲା ରଥଯାତ୍ରା: ଜଗନ୍ନାଥପ୍ରେମୀ କ୍ଷୁବ୍ଧ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନିଜ ଜିଦ୍ରେ ଅଟଳ ଇସ୍କନ। ଅଦିନିଆ ରଥଯାତ୍ରାକୁ ନେଇ ବାରମ୍ବାର ବିରୋଧ ସତ୍ତେ୍ୱ ସମସ୍ତଙ୍କୁ ବେଖାତିର କରି ଅଦିନରେ ଏହି ସଂସ୍ଥା ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରିଛି। ଗୁରୁବାର ମୁମ୍ବାଇର ଶିବାଜୀ ପାର୍କରୁ ଏହି ରଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଗୋଟିଏ ରଥରେ ଚତୁର୍ଦ୍ଧା ମୂରତିଙ୍କୁ ବସାଇ ରଥ ଯାତ୍ରା କରାଯାଇଛି। ଯାହାକୁ ନେଇ ବିବାଦ ତୀବ୍ର୍ର ହେବା ସହ ବହୁ ଜଗନ୍ନାଥପ୍ରେମୀ ଏହି ରଥଯାତ୍ରାକୁ ନାପସନ୍ଦ କରିଛନ୍ତି।

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସୁଛି। ଏବେ ଇସ୍କନର ଏହି ରଥଯାତ୍ରା କେଉଁ ଆଧାରରେ ହେଉଛି ବୋଲି ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଗୋପିନାଥ ମହାନ୍ତି କହିଛନ୍ତି ଯେ ଇସ୍କନ ପକ୍ଷରୁ ଏମିତି ପୂର୍ବରୁ ବାରମ୍ବାର ଅଦିନରେ ରଥଯାତ୍ରା ପାଇଁ ଉଦ୍ୟମ କରାଯାଇଛି। ମାତ୍ର ଏହା ଜଗନ୍ନାଥ ସଂସ୍କୃତିରେ ନଥିବା ଯୋଗୁଁ ଇସ୍କନକୁ ଏହା ନକରିବା ପାଇଁ କୁହାଯାଇଥିଲା। ବମ୍ବେସ୍ଥିତ ଇସ୍କନ ସଂସ୍ଥାରୁ ଗୋଟିଏ ପ୍ରତିନିଧି ଦଳ ଆସି ଏଠାରେ ଆଲୋଚନା କରିଥିଲେ। ସେତେବେଳେ ଏହି ପ୍ରସଙ୍ଗରେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ ଶାସ୍ତ୍ର ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ।

ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନରେ ବିଜେ କରିଥାନ୍ତି। ତେଣୁ ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଙ୍ଘନ କରି କେହି ଅଦିନରେ ଜଗନ୍ନାଥଙ୍କ ପବିତ୍ର ଯାତ୍ରା ନକରିବାକୁ ସେମାନଙ୍କୁ କୁହାଯାଇଥିଲା। ଗଜପତି ମହାରାଜା ମଧ୍ୟ ସେ ସମୟରେ ସାରା ବିଶ୍ୱରେ କେବଳ ଗୋଟିଏ ସମୟରେ ହିଁ ରଥଯାତ୍ରା କରିବା ସପକ୍ଷରେ ମତ ଦେଇଥିଲେ। ଫଳରେ ଇସ୍କନ ଏହାକୁ ମାନିନେବା ସହିତ ସଂସ୍ଥା ପକ୍ଷରୁ ସ୍ଥିର ହୋଇଥିବା ଲୁଧିଆନା ଅଦିନିଆ ରଥଯାତ୍ରାକୁ ବନ୍ଦ କରିଥିଲା। ମାତ୍ର ଏହାର କିଛିଦିନ ଅନ୍ତରରେ ମୁମ୍ବାଇରେ ଅଦିନରେ ରଥଯାତ୍ରା ଆୟୋଜନ କରି ଏହା ନିଜ ପ୍ରତିଶ୍ରୁତିରୁ ଓହରିଯାଇଛି। ତେଣୁ ଏହି ଘଟଣାକୁ ତୀବ୍ର ବିରୋଧ କରାଯିବ ବୋଲି ସେ କହିଛନ୍ତି।

ତେବେ ଆଜିର ରଥଯାତ୍ରା ଆୟୋଜନ କରିଥିବା ମୁମ୍ବାଇର ଇସ୍କନ ପକ୍ଷରୁ ମଙ୍ଗଳପ୍ରଭୁ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୁରୀରେ ସାଧାରଣତଃ ଜୁଲାଇ ମାସରେ ରଥଯାତ୍ରା ହୁଏ। ଏଠି ବସନ୍ତ ପଞ୍ଚମୀରେ ଶାସ୍ତ୍ର ଅନୁସାରେ ରଥଯାତ୍ରା ହେଉଛି। ତାଙ୍କର ପ୍ରତ୍ରିକ୍ରିୟାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀ କ୍ଷୁବ୍ଧ ହୋଇଛନ୍ତି। ଓଡ଼ିଶାରେ ଥିବା ଇସ୍କନ ପକ୍ଷରୁ ଘଟଣାକୁ ସମର୍ଥନ କରାଯାଇନଥିବା ବେଳେ ଗୋଟିଏ ଦିନରେ ହିଁ ସବୁଆଡ଼େ ରଥଯାତ୍ରା ହେଉ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରସ୍ଥିତ ଇସ୍କନର କାର୍ଯ୍ୟକର୍ତ୍ତା ଉପେନ୍ଦ୍ର ମିଶ୍ର କହିଛନ୍ତି ଯେ ପୁରୀ ସହ ସାରା ବିଶ୍ୱରେ ଗାଟିଏ ଦିନରେ ରଥଯାତ୍ରା ହେଉ ବୋଲି ଆମେ ଚାହୁଁ।

ଭୁବନେଶ୍ୱରରେ ଇସ୍କନ ରଥଯାତ୍ରା ଆୟୋଜନ କଲେ ପୁରୀ ପରମ୍ପରା ଅନୁସାରେ ହିଁ କରୁଛି। କେବଳ ରଥଯାତ୍ରା ନୁହେଁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ମଧ୍ୟ ପୁରୀ ପରି ଅକ୍ଷୟ ତୃତୀୟାରେ ଏଠାରେ କରାଯାଏ। ଯେହେତୁ ଏହି ସମସ୍ୟାଟି ଗତ ବର୍ଷରୁ ଉପୁଜିଲାଣି, ତେଣୁ ପୂର୍ବରୁ ଗଜପତି ମହାରାଜା, ଜଗନ୍ନାଥ ସଂସ୍କୃତି ପରିଷଦ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଆଲୋଚନା ହୋଇ ଗୋଟିଏ ଦିନରେ ରଥଯାତ୍ରା କରିବା ପାଇଁ ସ୍ଥିର ହୋଇଥିଲା। ଏବେ ଏହି ରଥଯାତ୍ରା ଆୟୋଜନକୁ ନେଇ ପୁଣି ଇସ୍କନ ପକ୍ଷରୁ ବିବାଦର ମଞ୍ଜି ବୁଣାହୋଇଛି।