ପୁରୀ ଛଡ଼ା କେଉଁଠି ବି ଗଡ଼ିବନି ରଥ

ପୁରୀ,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଏଥର ପୁରୀ ଛଡ଼ା ଆଉ ସବୁଠି ରଥଯାତ୍ରା ନିଷେଧ କରାଯାଇଛି। ଗଲାବର୍ଷ ମଧ୍ୟ ପୁରୀ ଛଡ଼ା ଆଉ କେଉଁଠି ବି ରଥଯାତ୍ରା ହୋଇନଥିଲା। କଟକଣା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ଯେଉଁ ସେବାୟତ ରଥଯାତ୍ରାରେ ସାମିଲ ହେବେ ଟିକା ନେଇଥିବା ଜରୁରୀ। ଆଉ ଯଦି ଟିକାର ୨ଟି ଡୋଜ ନେଇନଥିବେ ତା’ହେଲେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ ନେଗେଟିଭ ଥିବା ଦରକାର। ରଥଯାତ୍ରା ବେଳେ କରୋନା କଟକଣା ଓ ସାମାଜିକ ଦୂରତ୍ୱ ରଖିବାକୁ ପଡ଼ିବ। ଗଲାବର୍ଷ ଭଳି ପୁରୀରେ ଏବର୍ଷ ବି କର୍ଫ୍ୟୁ ଜାରି ହେବ। ପୁରୀକୁ ବସ୍ ଓ ଗାଡ଼ି ମୋଟର ଚଳାଚଳ ଉପରେ ରୋକ ଲଗାଯିବ। ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନେବ। ରାଜ୍ୟର ଅନ୍ୟ ସବୁଠି କେବଳ ମନ୍ଦିର ପରିସରରେ ନୀତିକାନ୍ତି ହେବ।