ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କ ମହାମିଳନର ମହାପର୍ବ । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇବେ ଶ୍ରୀଜୀଉ । ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ କାଳିଆ ସାଆନ୍ତେ । ସିଂହଦ୍ବାର ସମ୍ମୁଖରେ ଦାରୁଦିଅଁଙ୍କ ଅପେକ୍ଷାରେ ରହିଛି ୩ ରଥ । ପବିତ୍ର ଘୋଷଯାତ୍ରା ପାଇଁ ଦୁଲୁକୁଛି ବଡଦାଣ୍ଡ । ଲୋକରଣ୍ୟ ହେଲାଣି ଶ୍ରୀକ୍ଷେତ୍ର । ରଥ ଉପରେ ଚକାଆଖିଆକୁ ଆଖି ପୁରାଇ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ର ଲାଗାଲାଣି ଭକ୍ତ ଗହଳି । ମଣିମାଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଭକ୍ତ ବ୍ୟାକୁଳ ହେଲେଣି । ଆଜି ସକାଳ ସାଢେ ୯ଟାରେ ଠାକୁରମାନଙ୍କ ପହଣ୍ଡି ହେବ । ଅପରାହ୍ନ ୪ଟାର ରଥଟଣା ଆରମ୍ଭ ହେବ ।
ଘୋଷଯାତ୍ରା ନୀତିନିର୍ଘଣ୍ଟ: ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ଅନୁସାରେ, ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳା ନୀତି ଓ ୬ଟା ୨୦ରେ ମଇଲମ ନୀତି ସମ୍ପନ୍ନ ହୋଇଛି । ସାଢେ ୬ଟାରେ ତଡପ ଲାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢେ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି । ସକାଳ ୮ଟାରେ ଖେଚୁଡି ଭୋଗ ଲାଗି ହେବ । ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳର୍ପଣ, ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ ।
ପୂର୍ବାହ୍ନ ସାଢେ ୧୨ଟାରେ ପହଣ୍ଡି ଶେଷ ହୋଇ ୧ଟାରେ ଶ୍ରୀମଦନମୋହନ ଓ ଶ୍ରୀକୃଷ୍ଣ ରଥରେ ବିଜେ ହେବେ । ୨ଟା ସୁଦ୍ଧା ଠାକୁରଙ୍କ ଚିତାଲାଗି କରାଯିବ । ସାଢେ ୨ଟାରେ ବେଶ ଶେଷ ହେବ । ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ସରିବ । ଅପରାହ୍ନ ୩ଟାରେ ଚାରମାଳ ଫିଟା, ଘୋଡା ସାରଥୀ ଲାଗିବା ପରେ ୪ଟାରେ ରଥଟଣା ଆରମ୍ଭ ହେବ ।
କଡା ସୁରକ୍ଷା ବ୍ୟବସ୍ଥା: ସୁରକ୍ଷା ବ୍ୟବସ୍ଥା ରଥଯାତ୍ରା ପାଇଁ ଆଜି ପୁରୀରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଟ୍ରାଫିକ ପରିଚାଳନା ବିଶେଷକରି ପାର୍କିଂ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜଳ, ସ୍ଥଳ ଓ ଆକାଶ, ତିନି ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଥର ଥର ରଥଯାତ୍ରାରେ ମୁତୟନ ହୋଇଛି ହେଲିକ୍ଟପର ୧୮୦ ପ୍ଲାଟୁନ ଫୋର୍ସ, ଭାରତୀୟ ତଟରକ୍ଷୀ ବାହାନୀର ହେଲିକପ୍ଟର ଓ ଜାହାଜ ମୁତୟନ ହୋଇଛି । ସିସିଟିଭି ଓ ଡ୍ରୋନ ଦ୍ବାରା ପୁରା ସହର ଉପରେ ନଜର ରହିଛି । ପୁରୀକୁ ସବୁ ପ୍ରବେଶ ପଥରେ ପୋଲିସ କଡାକଡି ଯାଞ୍ଚ କରୁଛି । ୫୦୦ରୁ ଅଧିକ ଅଫିସର ଆଇନ ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ ରୁମ, ଆରପିଏଫ, ଜିଆରପି ପୋଲିସ ମୁତୟନ ହୋଇଛନ୍ତି ।