ଆଜି ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହେବ ରାଫେଲ ଲଢୁଆ ବିମାନ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ରାଫେଲ ଯୁଦ୍ଧ ବିମାନ ପ୍ରଥମ ଥର ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି, ସିଡିଏସ ଜେନେରାଲ ବିପିନ ରାୱତ, ବାୟୁସେନା ପ୍ରମୁଖ ଆର.କେ.ଏସ୍ ଭଦୋରିଆ ଓ ପ୍ରତିରକ୍ଷା ସଚିବ ଅଜୟ କୁମାର ଶିରକତ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ସମୟରେ ରାଫେଲ ବିମାନର ଔପଚାରିକ ଶୁଭାରମ୍ଭ କରାଯିବ। ପାରମ୍ପାରିକ ସର୍ବଧର୍ମ ପୂଜା ମଧ୍ୟ କରାଯିବ ଏବଂ ରାଫେଲ ଓ ତେଜସ ବିମାନକୁ ଆକାଶରେ ପ୍ରଦର୍ଶନ କରାଯିବ।

ରାଫେଲକୁ ବାୟୁସେନାରେ ସାମିଲ କରାଯିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ କରିଛନ୍ତି ଯେ, ଗୁରୁବାର ୧୦ଟାରେ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ଏୟାରକ୍ରାଫ୍ଟକୁ ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ଏୟାରକ୍ରାଫ୍ଟ ୧୭ତମ ସ୍କ୍ୱାର୍ଡନର ଅଂଶବିଶେଷ ଅଟେ। ରାଫେଲ ଜେଟ ବିଗତ ୨ ଦଶନ୍ଧିରେ ଭାରତର ସବୁଠାରୁ ବଡ଼ ଲଢୁଆ ବିମାନ କିଣା ବୋଲି ସେ କହିଛନ୍ତି।