ମାମଲା ନ ଉଠାଇବାରୁ ପୁଣି ଦୁଷ୍କର୍ମ ଉଦ୍ୟମ!

ଦେବଗଡ଼, ଏନ୍ଏନ୍ଏସ୍ : ଅଦାଲତରେ ବିଚାରାଧୀନ ଏକ ଦୁଷ୍କର୍ମ ମାମଲାକୁ ଉଠାଇ ନେବା ପାଇଁ ଅଭିଯୋଗକାରିଣୀକୁ ପୁଣି ଦୁଷ୍କର୍ମ ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଏହାର ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ଅଭିଯୋଗକାରିଣୀଙ୍କ ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ନେଇ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ କହିବା ଅନୁଯାୟୀ ପଳସମା ଗ୍ରାମର ଗଗନ ନାଏକ ଓରଫ ଗିରୀଶ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମାମଲା ବିଚାରଧୀନ ରହିଛି। ତେବେ ଅଭିଯୋଗ ହୋଇଛି ଯେ ମାମଲାକୁ ଉଠାଇନେବା ପାଇଁ ଗିରୀଶ ଧମକ ଦେଇ ଆସୁଥିଲା। ତେବେ ପୀଡ଼ିତା ଓ ତାଙ୍କ ପରିବାର ଏଥିରେ ରାଜିନହେବାରୁ ଗତ ରବିବାର ଗିରୀଶ ପୀଡ଼ିତାଙ୍କ ଘରେପଶି ପୁଣି ଦୁଷ୍କର୍ମ ଉଦ୍ୟମ କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏପରିକି ପୀଡ଼ିତାଙ୍କ ବାପାଙ୍କୁ ରାସ୍ତାରେ ଅଟକାଇ ଗିରୀଶ ଓ ତାଙ୍କ ପରିବାର ଲୋକେ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ପୁଣି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।