ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୫୭ ହଜାର ଟଙ୍କା ଲେଖାଏ ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅଦାଲତ।

ମିଳିଥିବା ସୂଚନା ପ୍ରକାରେ, ୨୦୧୬ ଡିସେମ୍ବର ୨୨ ତାରିଖ ସନ୍ଧ୍ୟାରେ ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାକୁ ଡୁମୁରିସାହିର ରଞ୍ଜୀତ ସାହୁ(୨୫) ଓ ପାସେରିପଡ଼ାର ଅରୁଣ ସାହୁ(୨୨) ଏକ ବାଇକ୍ରେ ଘର ନିକଟରୁ ଅପହରଣ କରି ନେଇଥିଲେ। ନିକଟସ୍ଥ ଭଗାମୁଣ୍ଡା ଜଙ୍ଗଲରେ ଗଣଦୁଷ୍କର୍ମ କରିବା ପରେ ନାବାଳିକାକୁ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲେ। ଠିକ୍ ଏତିକି ବେଳେ ଅଭିଯୁକ୍ତଙ୍କର ଅନ୍ୟ ଜଣେ ସାଙ୍ଗ ଅରୁଣ ନାୟକ ସେଠାରେ ପହଞ୍ôଚ ଅଭିଯୁକ୍ତମାନଙ୍କୁ ଏଥିରୁ ନିବୃତ୍ତ କରିଥିଲେ। ଅଭିଯୁକ୍ତମାନେ ଗୁରୁତର ଓ ଅଚେତ ହୋଇ ଯାଇଥିବା ନାବାଳିକାକୁ ଜଙ୍ଗଲରେ ଛାଡ଼ି ଫେରି ଯାଇଥିଲେ।

ସାରାରାତି ଜଙ୍ଗଲରେ ଅଚେତ ହୋଇ ପଡ଼ିବା ପରେ ଭୋରରେ ନାବାଳିକାଙ୍କ ଚେତା ଫେରିବାରୁ ଚିତ୍କାର କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକମାନେ ତାକୁ ସେଠାରୁ ଉଦ୍ଧାର କରିଥିଲେ। ନାବାଳିକାଙ୍କ ଠାରୁ ସବୁ ବିଷୟ ଶୁଣିବା ପରେ ତାଙ୍କ ମା’ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ବିଚାର ହୋଇଥିଲା। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି ସମର ବଲ୍ଲଭ ବେହେରା ଅଭିଯୁକ୍ତ ରଞ୍ଜୀତ ସାହୁ ଓ ଅରୁଣ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଅରୁଣ ନାୟକଙ୍କୁ ଦୋଷମୁକ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ପରିଚାଳନା କରିଥିଲେ।