ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ୨ ଯୁବକ ଗିରଫ

ରାଉରକେଲା, ଏନ୍ଏନ୍ଏସ୍: ଶକ୍ତିନଗର ଅଂଚଳର ୨ ଜଣ ଯୁବକ ଜଣେ ନାବାଳିକାଙ୍କୁ ଘରେ ବନ୍ଦୀ ରଖି ଦୁଷ୍କର୍ମ କରିଥିବା ସେକ୍ଟର-୩ ଥାନାରେ ଏତଲା ହୋଇଛି। ଡାକ୍ତରୀ ମାଇନା ପରେ ୨ ଅଭିଯୁକ୍ତକୁ ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରି ଜେଲ ପଠାଇଦେଇଛି।

ସୂଚନା ଅନୁଯାୟୀ, ଶକ୍ତିନଗର ଅଂଚଳ ବିଶ୍ୱକର୍ମା ବସ୍ତିର କର୍ଣ୍ଣ ଭୂମିଜ(୨୩) ଓ ଚମ୍ପାଟୋଲି ବସ୍ତିର ସୁନୀଲ କାଣ୍ଡୁଲିନା(୨୧) ଚଳିତ ମାସ ୯ ତାରିଖ ଦିନ ନାବାଳିକାଙ୍କୁ ଉଠାଇ ନେଇ ଥିଲେ। ଅଭିଯୁକ୍ତ କର୍ଣ୍ଣ ଉକ୍ତ ନାବାଳିକାଙ୍କୁ ସେକ୍ଟର-୬ ସ୍ଥିତ ମହିମା ଆଶ୍ରମ ବସ୍ତିରେ ରହୁଥିବା ସାଙ୍ଗ ସୁନୀଲଙ୍କ ଘରେ ରଖି ଉଭୟ ଦୁଷ୍କର୍ମ କରିଥିଲେ। ଘର ଲୋକ ନାବାଳିକାଙ୍କୁ ନ ପାଇବାରୁ ଥାନାରେ ଏତଲା ଦେଇଥିଲେ। ବୁଧବାର ନାବାଳିକାଙ୍କୁ ଉଭୟ ଯୁବକ ଆଣି ବାଇକରେ ଘର ନିକଟରେ ଛାଡ଼ି ଦେଇଥିଲେ। ନାବାଳିକାର ଅଭିଭାବକ ଥାନାକୁ ଆଣିଥିଲେ। ସେଠାରେ ପୁଲିସ ପଚରାଉଚୁରା କରିବା ପରେ ସତ୍ୟସତ୍ୟ ପଦାକୁ ଆସିଥିଲା। ଏହି ବୟାନ ଆଧାରରେ ଉଭୟ ଯୁୂବକଙ୍କୁ ଗିରଫ କରାଯାଇଥିଲା।