ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ବିଧବା ଭାଉଜକୁ ଦୁଷ୍କର୍ମ ଅଭିଯୋଗରେ ଦିଅର ଥାନାରେ ଅଟକ ଥିବା ଜଣା ପଡିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୁଣାପାଣି ଗ୍ରାମର ହିମାଦ୍ରୀ ନାଏକଙ୍କ ଗତ ବର୍ଷ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ତାଙ୍କ ୨ ସନ୍ତାନଙ୍କ ସହ ବିଧବା ସ୍ତ୍ରୀ ଘରେ ରହି ଆସୁଥିଲେ । ତେବେ ମୃତ ହିମାଦ୍ରୀଙ୍କ ଭାଇ ସମ୍ଭାରୁ ନାଏକ(୨୬) ତାଙ୍କ ବିଧବା ଭାଉଜଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଏହି କ୍ରମରେ ଗତ ମାର୍ଚ୍ଚ ମାସ ୧୦ ତାରିଖ ରାତ୍ରୀରେ ସମ୍ଭାରୁ ତାଙ୍କ ବିଧବା ଭାଉଜଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିବା ସହ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ । ସେହିପରି ସମ୍ଭାରୁ ବିଧବା ଭାଉଜଙ୍କୁ ଧରି ରାଉରକେଲା ସହରରେ ୫ ଦିନ ରହିବା ପରେ ଘରକୁ ଫେରି ଆସିଥିଲେ। ଏହା ପରେ ପୀଡିତା ଦିଅରକୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ କହିବାରୁ ଅଭିଯୁକ୍ତ ସମ୍ଭାରୁ ରୋକଠୋକ ମନା କରିବା ସହ ତାଙ୍କୁ ମାଡ ମାରି ଘରୁ ବାହର କରିଦେଇଥିଲା। ଏପରିକି ଜୀବନରୁ ମାରି ଦେବାକୁ ହତ୍ୟା ଧମକ ମଧ୍ୟ ଦେଇଥିଲା।
ଫଳରେ ପୀଡିତା ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା ସ୍ଥିତ ନିଜ ବାପ ଘରକୁ ଚାଲି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏ ନେଇ ପୀଡିତା ଓ ତାଙ୍କ ପରିବାର ଲୋକ ପୁରୁଣାପାଣି ସ୍ଥିତ ଅଭିଯୁକ୍ତ ସମ୍ଭାରୁ ଘରକୁ ଯାଇ ଘଟଣାର ସମାଧାନ ପାଇଁ ପ୍ରୟାସ କରି ବିଫଳ ହେବା ପରେ ଉକ୍ତ ଗ୍ରାମରେ ଥିବା ଜାତି ସମାଜ ଆଗରେ ଘଟଣା ସମ୍ପର୍କରେ ଜଣାଇବା ସହ ସମାଧାନ ପାଇଁ ଅନୁରୋଧ କରିଥିଲେ । ଏ ଘଟଣାକୁ ନେଇ ସମାଜ ବୈଠକରେ ସମ୍ଭାରୁ ପୀଡିତାକୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ରୋକଠୋକ ମନା କରିଦେବାରୁ ପୀଡିତା ଜଣକ ନ୍ୟାୟ ପାଇଁ ଗତକାଲି ସନ୍ଧ୍ୟାରେ ବାରକୋଟ ଥାନାର ଦ୍ୱାରସ୍ଥ ହେବା ସହ ଅଭିଯୁକ୍ତ ଦିଅର ସମ୍ଭାରୁ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ମାମଲା ଋୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସମ୍ଭାରୁକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଛନ୍ତି ।