ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସମ୍ପର୍କୀୟ ନାବାଳିକା ଝିଆରୀକୁ ଘରକୁ ନେଇ ପିଉସା ତଥା ଜଣେ ପୁଲିସ ହାବିଲଦାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖାରବେଳନଗର ଥାନା ପୁଲିସ ସମ୍ପୃକ୍ତ ପିଉସାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କ୍ୟାପିଟାଲ ଥାନାରେ ହାବିଲଦାର ଭାବେ କାର୍ଯ୍ୟରତ ଥିବା ବିଜୟ ସେଠୀ। ସେ ଖାରବେଳନଗର ଥାନା ୟୁନିଟ-୯ସ୍ଥିତ ସରକାରୀ କ୍ୱାଟର୍ସରେ ରୁହନ୍ତି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବାଣୀବିହାର ଅଞ୍ଚଳରେ ସମ୍ପୃକ୍ତ ୧୬ ବର୍ଷୀୟା ନାବାଳିକା ଜଣଙ୍କ ତାଙ୍କ ପରିବାର ସହ ରହୁଛନ୍ତି। ଗତ ଅକ୍ଟୋବର ମାସରେ ନାବାଳିକା ଜଣଙ୍କ ଦେହ ଖରାପ ଥିଲା। ତାଙ୍କର ଚିକିତ୍ସା କରିବା ପାଇଁ ତାଙ୍କ ପିଉସୀ ନେବା ପାଇଁ କହିଥିଲେ। ଏହାପରେ ପିଉସା ତଥା ଅଭିଯୁକ୍ତ ବିଜୟ ସେଠୀ ଆସି ନାବାଳିକାଙ୍କୁ ସାଙ୍ଗରେ ନେଇଥିଲେ। ପରେ ନାବାଳିକା ବିଜୟଙ୍କ ୟୁନିଟ୍-୯ସ୍ଥିତ ସରକାରୀ କ୍ୱାଟର୍ସରେ ରହିବା ସହ ସେଠାରେ ଚିକିତ୍ସିତ ହେଉଥିଲେ। ଏହିପରି ଗୋଟେ ଦିନ ନାବାଳିକାଙ୍କ ପିଉସୀ ତାଙ୍କ ଘରେ ନଥିଲେ। ଏହାର ସୁଯୋଗ ନେଇ ବିଜୟ ନାବାଳିକାଙ୍କୁ ନିଶା ବଟିକା ଦେଇଥିଲେ। ପରେ ନାବାଳିକା ଶୋଇପଡ଼ିବାରୁ ତାଙ୍କ ସହ ଦୁଷ୍କର୍ମ କରିଥିଲେ।
ତେବେ ନାବାଳିକା ଜଣଙ୍କ ସେଠାରେ କିଛିଦିନ ରହିବା ପରେ ସେଠାରୁ ଚାଲିଆସିଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ବିଜୟ ଜାଣିବାକୁ ପାଇଥିଲେ। ଏହାପରେ ସେ ସମ୍ପୃକ୍ତ ନାବାଳିକା ତଥା ତାଙ୍କ ଝିଆରୀଙ୍କୁ ଜୋରଜବରଦସ୍ତ ଗର୍ଭପାତ କରିବାକୁ କହିଥିଲେ। ଏନେଇ ଗତ ୨୮ତାରିଖରେ ବିଜୟ ସମ୍ ହସ୍ପିଟାଲ ପଛପଟେ ଥିବା ଏକ ମେଡିସିନ୍ ଷ୍ଟୋରକୁ ନାବାଳିକାଙ୍କୁ ନେଇ ଯାଇଥିଲେ। ଏହାପରେ ମେଡିସିନ ଦୋକାନୀ ଗର୍ଭପାତ କରାଇଦେବା ନେଇ ପ୍ରତିଶ୍ରୁତି ଦେବା ସହ ଏକ ତାରିଖ ନିର୍ଦ୍ଧାରିତ ହୋଇଥିଲା। ଏହାପରେ ନାବାଳିକା ଜଣଙ୍କ ଗର୍ଭପାତ କରିବା ପାଇଁ ରାଜି ହୋଇନଥିଲେ। ଏଥିପାଇଁ ବିଜୟ ଓ ତାଙ୍କର ସହଯୋଗୀ ହରି ନାବାଳିକାଙ୍କୁ ଧମକ ଦେଇଥିଲେ।
ଏହାପରେ ନାବାଳିକା ତାଙ୍କ ଘରେ କାନ୍ଦିବା ସହ ମନ ଦୁଃଖ କରି ବସିଥିଲେ। ଶେଷରେ ନାବାଳିକା ଜଣଙ୍କ ଭୟଭୀତ ହୋଇ ତାଙ୍କ ମା’ ଓ ବାପାଙ୍କୁ ଜଣାଇଥିଲେ। ପରେ ତାଙ୍କ ବାପା ସହିଦନଗର ଥାନା ପୁଲିସ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଘଟଣାଟି ସତ୍ୟନଗର ଅଞ୍ଚଳରେ ଘଟିଥିବାରୁ ଅଭିଯୋଗକୁ ଖାରବେଳନଗର ଥାନାକୁ ଫରୱାର୍ଡ କରାଗଲା। ଏହାପରେ ଖାରବେଳନଗର ଥାନା ପୁଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିଥିଲା। ପରେ ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ପୁଲିସ ହାବିଲଦାରଙ୍କୁ ଗିରଫ କରିବା ସହ ପଚରାଉଚରା କରୁଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତ ଥିବା ହାବିଲଦାରଙ୍କ ସହଯୋଗୀ ହରିକୁ ପୁଲିସ ଧରିବାକୁ ଉଦ୍ୟମ ଚଳାଇଛି।