ବ୍ରହ୍ମପୁର,ଏନଏନଏସ: ଗଞ୍ଜାମରେ ପୁଣି ଲଜ୍ଜା। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଜନୈକା ନାବାଳିକାକୁ କିଛି ଯୁବକ ଅପହରଣ କରି ନେଇ ଦୀର୍ଘ ୩୬ ଘଣ୍ଟା କାଳ ଦୁଷ୍କର୍ମ କରିବା ପରେ ବେହୋସ ଅବସ୍ଥାରେ ତାଙ୍କ ଘର ପଛପଟେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ବଡମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଛି। ନାବାଳିକାର ଅବସ୍ଥା ସ୍ଥିର ରହିଛି।
ତାଙ୍କ ନିକଟରେ ମହିଳା ଥାନାଧିକାରୀ ଅଞ୍ଜଳି ବିଶ୍ୱାଳ ରହି ପଚରା ଉଚରା କରିବା ସହ ଡାକ୍ତରଙ୍କ ସହ ପରାମର୍ଶ ଜାରି ରଖିଛନ୍ତି। ଦୁଷ୍କର୍ମ ଘଟଣା ନେଇ ମହିଳା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅନୁଧ୍ୟାନ ପାଇଁ ଏକ ଟିମ୍ ଉକ୍ତ ଗ୍ରାମକୁ ଯାଇଥିବା ବେଳେ ଅଭିଯୁକ୍ତ ଯୁବକମାନେ ଚିହ୍ନଟ ହୋଇଯାଇଥିବା ଜଣାପଡିଛି। ୪/୫ ଜଣ ଯୁବକ ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ, ପୀଡିତା ନାବାଳିକା ତାଙ୍କ ଅଜା ଘରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ଚଳିତ ମାସ ୧୦ ତାରିଖ ଦିନ ନାବାଳିକା ଜଣକ ଶୌଚ ପାଇଁ ମେରାଇନ୍ ଥାନା ଅନ୍ତର୍ଗତ ବାହୁଦା ନଦୀ ନିକଟକୁ ଯାଇଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିବା ବେଳେ ଅନ୍ୟ କିଛି ଯୁବକ ମିଶି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧରି ଘରକୁ ନ ଫେରିବା ପରେ ବାପ ଛେଉଣ୍ଡ ପୀଡିତା ନାବାଳିକାର ମା ତୁରନ୍ତ ପୁରୀରୁ ଫେରିଥିଲେ। ଏହି ସମୟରେ ଘଟଣାଟି ଗ୍ରାମରେ ପ୍ରଘଟ ହୋଇସାରିଥିଲା। ଇତି ମଧ୍ୟରେ ୩୬ ଘଣ୍ଟା ପୁରିଯାଇଥିଲା।
ନାବାଳିକାଙ୍କ ମାଁ ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜୁଥିବା ବେଳେ ଗତକାଲି ଅର୍ଥାତ ୧୧ ତାରିଖ ସନ୍ଧ୍ୟା ୬ଟା ସମୟରେ ନାବାଳିକାଙ୍କୁ କେହି ଦୁର୍ବୁତ୍ତ ବେହୋସ ଅବସ୍ଥାରେ ତାଙ୍କ ଘର ପଛପଟେ ମୁମୂର୍ଷୁ ଅବସ୍ଥାରେ ଛାଡି ଚାଲିଯାଇଥିଲେ। ସେଠାରେ କାନ୍ଦୁଥିବା ନାବାଳିକାଙ୍କୁ ତାଙ୍କ ଘର ଲୋକେ ଉଦ୍ଧାର କରି ତୁରନ୍ତ ବ୍ରହ୍ମପୁର ବଡମେଡିକାଲ ଆଣିଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣାଟି ମେରାଇନ୍ ଥାନା ଅଧିନରେ ହୋଇଥିଲେ ମଧ୍ୟ ପରିବାର ଲୋକେ ମହିଳା ଥାନାକୁ ଯାଇ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।
ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଉଠାଇ ଆଣି ମେରାଇନ୍ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଥିବା ଜଣାପଡିଛି। କେଉଁ ପରିସ୍ଥିତିରେ ନାବାଳିକାଙ୍କୁ ଅପହରଣ କରାଯାଇଛି, କେଉଁମାନେ ଏଥିରେ ସମ୍ପୃକ୍ତ ସେ ନେଇ ତନାଘନା ଆରମ୍ଭ ହୋଇଛି। ମେରାଇନ୍ ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ôଚଥିବା ସୂଚନା ମିଳିଛି। ସମସ୍ତ ଦୁଷ୍କର୍ମକାରୀ ଚିହ୍ନଟ ହୋଇଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ପ୍ରକାଶ।