ଦୁଷ୍କର୍ମ ଅଭିଯୁକ୍ତ ମେଡିକାଲରୁ ଚମ୍ପଟ୍

ସାକ୍ଷିଗୋପାଳ,ଏନ୍ଏନ୍ଏସ୍: ଦୁଷ୍କର୍ମ ଅଭିଯୁକ୍ତକୁ ଡ଼ାକ୍ତରୀମାଇନା ପାଇଁ ସାକ୍ଷିଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ପୋଲିସକୁ ଚକ୍ମା ଦେଇ ସେଠାରୁ ଚମ୍ପଟ୍ ମାରିଛି ଅଭିଯୁକ୍ତ । ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଂଚାୟତ ଅନ୍ତର୍ଗତ ଭିମପୁର ଗ୍ରାମରେ ନିଜ ମାମୁଁ ଘରେ ଆଜକୁ ମାସେ ହେଲା ରହି ଆସୁଥିଲେ ଏହି ନାବାଳିକା ଜଣକ । କୌଣସି ପ୍ରକାରେ ଅଭିଯୁକ୍ତ ଗଣେଷ ଭୋଇ (୨୦) ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଅଭିଯୁକ୍ତ ତାଙ୍କୁ ଏଠାରୁ ନେଇଯାଇ ବାହାରେ ବିବାହ କରି ରଖିବ ବୋଲି ପ୍ରତିଶୃତି ଦେବା ପରେ ଉଭୟ ଘରୁ ଲୁଚି ପଳାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ଗତ ୧୩ ତାରିଖ ରାତିରେ ନାବାଳିକାଙ୍କୁ ନେଇଯିବାକୁ କହି ରାତିରେ ଡ଼ାକି ତାଙ୍କ ମାମୁଁ ଘର ବାରି ପଛ ପାଶ୍ୱର୍ରେ ବାରମ୍ବାର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏବଂ ଘଟଣା ପରେ ସେଠାରେ ଛାଡି ଚାଲି ଯାଇଥିଲା । ପୀଡ଼ିତା ନାବାଳିକାଙ୍କ ପକ୍ଷରୁ ଗତକାଲି ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ୨୨୫/୧୯ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଅଭିଯୁକ୍ତର ସମ୍ପୃକ୍ତି ସମ୍ପର୍କରେ ଜାଣିପାରି ପୋଲିସ ତାକୁ ଗିରଫ କରିଥିଲା । କୋର୍ଟଚାଲାଣ ପୂର୍ବରୁ ଆଜି ଅଭିଯୁକ୍ତର ଡ଼ାକ୍ତରୀମାଇନା ପାଇଁ ମେଡିକାଲକୁ ନିଆଯାଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ସମୟରେ ଅଭିଯୁକ୍ତ ସେଠାରୁ ଚମ୍ପଟ୍ ମାରିଥିଲା । ଘଟଣା ପରେ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରୀ ରହିଥିବା ନେଇ ଥାନା ଏସଆଇ ରବିନ୍ଦ୍ର କୁମାର ନନ୍ଦ ସୂଚନା ଦେଇଛନ୍ତି।