ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଏକ ଗ୍ରାମର ଜୈନିକ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଜଣେ ୩୫ ବର୍ଷୀୟା ଯୁବତୀ ଗତ ରବିବାର ବିଲରୁ ଚାଷ କାମକରି ପୂର୍ବାହ୍ନ ୧୧ଟାରେ ଘରକୁ ଏକୁଟିଆ ଫେରୁଥିବା ବେଳେ ଯୁବତୀଙ୍କ ଘରବାଡିପଟେ ପୂର୍ବରୁ ଲୁଚି ରହିଥିବା ଉକ୍ତ ଗ୍ରାମର ରବି ସାହୁଙ୍କ ପୁଅ ହେମନ୍ତ ସାହୁ (୨୭)ଦୁଷ୍କର୍ମ କରିଥିଲା। ସନ୍ଧ୍ୟାରେ ଯୁବତୀଙ୍କ ଅଭିଭାବକ ଘରକୁ ଫେରିବା ପରେ ଯୁବତୀ ଜଣକ ଘଟଣା ସମ୍ପର୍କରେ କହିଥିଲେ। ରାତି ହୋଇଯାଇଥିବା କାରଣରୁ ଯୁବତୀ ଜଣକ ସୋମବାର ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହ ଗତକାଲି ଅଭିଯୁକ୍ତ ହେମନ୍ତକୁ ଗିରଫ କରିଥିଲା ।