ମହମ ମୁଜିୟମ୍ : ଦୀପିକାଙ୍କ ନିକଟରେ ରହିବେ ରଣବୀର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଲଣ୍ଡନ ସ୍ଥିତ ମାଡାମ୍ ତୁଷାଦ ମହମ ମ୍ୟୁଜିୟମ୍ରେ ଦୀପିକା ପାଦୁକୋନଙ୍କ ପ୍ରତିମୂର୍ତ୍ତି ନିକଟରେ ଶୋଭା ପାଇବ ଅଭିନେତା ତଥା ଦୀପିକାଙ୍କ ସ୍ୱାମୀ ରଣବୀର ସିଂହଙ୍କ ପ୍ରତିମୂର୍ତ୍ତି। ମୁମ୍ବାଇରେ ଅନୁଷ୍ଠିତ ଆଇଫା ଆୱାର୍ଡ ୨୦୧୯ ସମାରୋହରେ ଏକଥା କହିଛନ୍ତି ରଣବୀର। ଫିଲ୍ମ ‘ପଦ୍ମାବତ୍’ରେ ଖିଲ୍ଜୀ ଚରିତ୍ର ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିଛି।

ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ରଣବୀର ସିଂହ କହିଥିଲେ ଯେ, ଖୁବ୍ ଶୀଘ୍ର ଲଣ୍ଡନସ୍ଥିତ ମାଡାମ୍ ତୁଷାଦ ମହମ ସଂଗ୍ରହାଳୟରେ ଦୀପିକାଙ୍କ ଷ୍ଟାଚ୍ୟୁ ନିକଟରେ ତାଙ୍କ ଷ୍ଟାଚ୍ୟୁ ସ୍ଥାନ ପାଇବ। ରଣବୀର ମଞ୍ଚରେ ଏକଥା କହୁଥିବାବେଳେ ମଞ୍ଚ ସାମ୍ନାରେ ବସିଥିବା ଦୀପିକା ଖୁବ୍ ଭାବପ୍ରବଣ ହୋଇପଡ଼ଥିବା ଦେଖିବାକୁ ମିଳିଥିଲା। ରଣବୀର ଆହୁରି କହିଥିଲେ, ମୋ ଶାଶୂ କହୁଛନ୍ତି – ଆପଣ ବି ଖୁବ୍ ପରିଶ୍ରମ କରୁଛନ୍ତି। ଆମେ ଆପଣଙ୍କ ମୂର୍ତ୍ତି ବି ମହମ ମ୍ୟୁଜିୟମରେ ଦେଖିବାକୁ ଚାହୁଁଛୁ। ଏଥିପାଇଁ ମା’ ମୁଁ ଲଣ୍ଡନ ଯାଉଛି। ଆପଣ ମତେ ଲଣ୍ଡନରେ ଦେଖିବେ।

ନିଜର ମହମ ପ୍ରତିମୂର୍ତ୍ତି ସମ୍ପର୍କରେ କହିବାକୁ ଯାଇ ରଣବୀର ପ୍ରକାଶ କରିଥିଲେ ଯେ, ‘ମୁଁ ଖାଲି ଏତିକି କହିବି, ମୋ ପତ୍ନୀଙ୍କ ମହମ ପିତୁଳା ସବୁଠୁ ଅଧିକ ସେକ୍ସି। ଦୀପିକା ପର୍ଫେକସନିଷ୍ଟ। ମୁଁ ଖୁବ୍ ଶୀଘ୍ର ସେଠାକୁ ଯାଇ ମୋର ଡ୍ରେସ୍ ଏବଂ ପୋଜ୍ ଚୂଡ଼ାନ୍ତ କରିବି। ଆମେ ପତି ଏବଂ ପତ୍ନୀ ମହମ ମ୍ୟୁଜିୟମରେ ଏକାଠି ରହିବୁ।

ସୂଚନାଯୋଗ୍ୟ, ନିର୍ମାଣାଧୀନ ‘୮୩’ରେ ରଣବୀର ଓ ଦୀପିକା ଏକାଠି ଅଭିନୟ କରୁଛନ୍ତି। ୧୯୮୩ରେ କପିଲ୍ ଦେବଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ୍ ଜିତିଥିଲା। ଏ ଫିଲ୍ମର କାହାଣୀ ତା’ ଉପରେ ଆଧାରିତ ଓ ରଣବୀର କପିଲ୍ ଦେବଙ୍କ ଚରିତ୍ରରେ ନଜର ଆସିବେ। ଏହା ପୂର୍ବରୁ ରଣବୀର ଓ ଦୀପିକା ‘ରାମଲୀଲା’, ‘ପଦ୍ମାବତ୍’, ‘ବାଜିରାଓ ମସ୍ତାନୀ’, ‘ଫାଇଣ୍ଡିଙ୍ଗ୍ ଫନି’ ଆଦିରେ ଏକାଠି ଅଭିନୟ କରିଛନ୍ତି।