ଦେବଗଡ଼,ଏନ୍ଏନ୍ଏସ୍: ସ୍ୱର୍ଗତ ନବ ଦାସଙ୍କୁ ସଫା କରିଥିବା ନେଇ ଦେବଗଡ଼ ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜର ଅବିନାଶ ତିଆଡ଼ିଙ୍କ ଫୋନ ବାର୍ତ୍ତାଳାପର ରେକର୍ଡିଙ୍ଗ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ପରିପ୍ରେକ୍ଷୀରେ ଅବିନାଶଙ୍କୁ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ଆଜି ଦେବଗଡ଼ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଖପର ସାହି ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅତିଥୀ କରିବାକୁ ରାଣୀ ଓ ତାଙ୍କ ସହଯୋଗୀମାନେ ରାମ ସେନା ଶୋଭାଯାତ୍ରାବେଳେ ପୂଜା କମିଟି ସଭାପତିଙ୍କୁ କହିଥିଲେ । ମାତ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କମିଟି ପକ୍ଷରୁ ଅତିଥି ଚୟନ ଓ ନିମନ୍ତ୍ରଣ କରାଯାଇଥିବାରୁ ତାଙ୍କୁ କାର୍ଯ୍ୟକ୍ରମରେ ଅତିଥି କରାଯିବା ଅସମ୍ଭବ ବୋଲି କହିବାରୁ ଅରୁନ୍ଧତୀ ଏବଂ ସାଥୀରେ ଥିବା ସହଯୋଗୀମାନେ ଉତକ୍ଷିପ୍ତ ହୋଇ ଗାଳି ଗୁଳଜ କରିବା ସହ ହତ୍ୟା ଧମକ ଦେଇଥିଲେ । କିଛି ସମୟ ପରେ ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜର ଅବିନାଶ ଫୋନ ଯୋଗେ କମିଟି ସଭାପତି ଉମା ଶଙ୍କରଙ୍କୁ ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ଥାନାରେ ରାଣୀ ଅରୁନ୍ଧତି କମିଟି ସଭାପତି ଓ ସହଯୋଗୀ କର୍ମକର୍ତ୍ତାମାନେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଧକ୍କା ମାରି ରାସ୍ତାରେ ପକାଇ ଦେଇଥିବା ନେଇ ଅଭିଯୋଗ କରିଥିଲେ । ସେହିପରି ରାଣୀଙ୍କର ଜଣେ ସହଯୋଗୀ ପୁଷ୍ପିତା ହେନେଜ କମିଟି ସଭାପତି ଓ କର୍ମକର୍ତ୍ତାମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୨ଟି ମାମଲା ରୁଜୁ କରିଥିବାବେଳେ ରାଣୀଙ୍କ ମ୍ୟାନେଜର ଅବିନାଶ କୌଣସି ଜଣେ ବ୍ୟକ୍ତିଙ୍କୁ ଫୋନ ଯୋଗେ ସେ ନବ ଦାସକୁ ସଫା କରିପାରିଲା ତ ଉମା କ’ଣ ନବଠୁ ବଡ଼ କି ବୋଲି କହୁଥିବାର ରେକର୍ଡିଙ୍ଗ ମୋବାଇଲରୁ ମୋବାଇଲ ଭାଇରଲ ହେବା ପରେ ସାହିରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗତକାଲି ରାଣୀ ପୂଜା କମିଟି କର୍ମକର୍ତ୍ତାଙ୍କ ନାଁରେ ଦେଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଦାବୀରେ ସାହି ବାସିନ୍ଦାମାନେ ଥାନା ସମ୍ମୁଖରେ ରାଣୀ ଅରୁନ୍ଧତୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ କୁଶପୁତ୍ତଳିକା ଦାହ କରିଥିଲେ । ଆଜି ଖପର ସାହି ଦୁର୍ଗା ପୂଜା କମିଟି ସଭାପତି ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଦେବଗଡ଼ ଥାନାରେ ପହଞ୍ଚି ରାଣୀ ଅରୁନ୍ଧତୀଙ୍କ ମ୍ୟାନେଜରଙ୍କ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ସେ ଖୋଦ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କୁ ସଫା କରେଇଥିବାର ଫୋନ ବାର୍ତ୍ତାଳାପରେ ଖୁଲମଖୋଲା କହୁଥିବାରୁ ହତ୍ୟା ଘଟଣାରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି ।