କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏନ୍ ରଙ୍ଗାସାମୀ

ପୁଡ଼ୁଚେରୀ,ଏଜେନ୍ସି: ପୁଡ଼ୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏନ୍ଆର୍ସି ପାର୍ଟିର ମୁଖ୍ୟ ଏହି କେନ୍ଦ୍ରଶାସିତ ଅଞ୍ଚଳର ନୂଆ ମୁଖ୍ୟମନ୍ତ୍ରୀ ହେବେ। ସେ ଶୁକ୍ରବାରରେ ଶପଥ ଗ୍ରହଣ କରିବେ। ରାଜନିବାସ ପରିସରରେ ଆୟୋଜିତ ଏକ ସଂକ୍ଷିପ୍ତ ସମାରୋହରେ ଉପରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ସରକାରୀ ସୂତ୍ରରୁ ପ୍ରକାଶ, ରଙ୍ଗାସାମୀ ଏକାକୀ ଶପଥ ଗ୍ରହଣ କରିବେ। ପରଦିନ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ। ଉଲ୍ଲେଖଯୋଗ୍ୟ, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସହ ଏଆଇଏନ୍ଆର୍ସି ମେଣ୍ଟକରି ଉଭୟ ୧୬ ଆସନ ଅକ୍ତିଆର କରିଛନ୍ତି। ୩୦ ଆସନ ବିଶିଷ୍ଟ ପୁଡ଼ୁଚେରୀ ବିଧାନସଭାରେ ସରକାର ଗଠନ କରିବା ପାଇଁ ମ୍ୟାଜିକ୍ ନମ୍ବର ୧୬। ଏଆଇଏନ୍ଆର୍ସି ୧୦ଟି ଆସନ ପାଇଥିଲାବେଳେ ବିଜେପି ୬ଟି ଆସନ ପାଇଛି। ଏହାଛଡ଼ା ବିଧାନସଭାକୁ ନିର୍ବାଚିତ ହୋଇଥିବା ୬ଜଣ ସ୍ୱାଧୀନ ବିଧାୟକ ରଙ୍ଗାସାମୀଙ୍କୁ ସମର୍ଥନ କରୁଛନ୍ତି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ପରାଜୟ ଘଟିଛି ଏବଂ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୧୪ ଆସନରୁ ମାତ୍ର ୨ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଡିଏମ୍କେ ୧୩ ଆସନରେ ପ୍ରାର୍ଥୀ ଦେଇଥିଲାବେଳେ ୬ ଆସନରେ ବିଜୟୀ ହୋଇଛି।