ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ରାମୋଜୀ ଫିଲ୍ମ ସିଟି

ହାଇଦ୍ରାବାଦ,ଏଜେନ୍ସି: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିଲା ବିଶ୍ୱର ସର୍ବବୃହତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି। ଗତବର୍ଷ ମାର୍ଚ୍ଚ ମାସରୁ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିଥିବାବେଳେ କୋଭିଡ ସ୍ଥିତିକୁ ନଜରରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି। କୋଭିଡ ନିୟମାବଳୀ ସହ, ସର୍ବାଧିକ ସୁରକ୍ଷା ଓ ସାବଧାନତା ସହ ଏହା ଖୋଲିଛି। ଅନ୍ୟପଟେ ଦୀର୍ଘ ଦିନର ଅପେକ୍ଷା ପରେ ଫିଲ୍ମ ସିଟି ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ ଦେଖିବାକୁ ମିଳିଛି।

ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକଙ୍କ ପସନ୍ଦର ରହଣି ପାଇଁ ବିଳାସମୟ, ଆରାମଦାୟକ, ଇକୋନୋମି ଓ ସୁପର ଇକୋନୋମି ପ୍ୟାକେଜ୍‍ ମଧ୍ୟ ଉପଲବ୍ଧ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ନିରାପଦ ଭ୍ରମଣ ପାଇଁ ରାମୋଜୀ ଫିଲ୍ମ ସିଟିରେ ସବୁ ପ୍ରକାରର ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଏହାଛଡ଼ା ନିରାପତ୍ତା ନିୟମ ସମ୍ପର୍କରେ ଗାଇଡମାନଙ୍କୁ ଉପଯୁକ୍ତ ତାଲିମ ମଧ୍ୟ ଦିଆଯାଇଛି।

୨୦୦୦ ଏକର ଜମିରେ ବ୍ୟାପିଥିବା ସିନେ-ମ୍ୟାଜିକରେ ଅନେକ ଚମତ୍କାର ସ୍ଥାନ ରହିଛି। ଥିମେଟିକ୍ ଆକର୍ଷଣ, ମେକ୍-ବିଲିଭ୍ ଲୋକାଲ୍, ଚିତ୍ତାକର୍ଷକ ବଗିଚା, କେସକେଡିଂ ଫାଉଣ୍ଟେନ୍(ଝରଣା) ଏବଂ ସୃଜନଶୀଳ ମନୋରଞ୍ଜନ ପାଇଁ ଏହା ପ୍ରସିଦ୍ଧ। ଏହାର କେତେକ ଗୁରୁତ୍ୱପୂର୍ଣ୍ଣ ଆକର୍ଷଣ ହେଉଛି- ୟୁରେକା, ଫଣ୍ଡୁଷ୍ଟାନ୍ ଏବଂ ବୋରାସୁରା, ରାମୋଜୀ ମୁଭି ମ୍ୟାଜିକ୍, ଦୈନିକ ଲାଇଭ୍ ଶୋ’, ଓ୍ବିଙ୍ଗସ୍-ବାର୍ଡ ପାର୍କ, ସାହାସ-ରାମୋଜୀ ଆଡଭେଞ୍ଚର ଲ୍ୟାଣ୍ଡ।