ମୌସୁମୀ ଆଗମନକୁ ନେଇ ଚାଷୀକୂଳ ଆଶ୍ୱସ୍ତ

ରାମନାଗୁଡା,ଏନ୍ଏନ୍ଏସ୍ : ଚଳିତବର୍ଷ ମୌସୁମୀ ଆଗମନକୁ ନେଇ ଚାଷୀକୂଳ ଆଶ୍ୱସ୍ତ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୪୮ଘଣ୍ଟା ମଧ୍ୟରେ ମୌସୁମୀ ଆଗମନରେ ଚାଷୀ କ୍ଷେତ ସଜାଡିବାରେ ବ୍ୟସ୍ତ। ଚାଷକୁ ବେଉସା ଭାବରେ ଗ୍ରହଣ କରି ଭିଟାମାଟିରେ ପଡ଼ିରହି ଚାଷକୁ ଛାଡିନାହାନ୍ତି ଚାଷୀକୂଳ। ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ସତ୍ୱେ ଯୁବକମାନେ ଚାଷପ୍ରତି ବିମୁଖ ହେଉଥିବା ବେଳେ କିଛି ପରିମାଣରେ ଯୁବକ ଚାଷରେ ଲାଗି ପଡିଛନ୍ତି। ସେମାନେ ମାଟିକୁ ମା’ ଭାବରେ ଗ୍ରହଣ କରି ନେଇଛନ୍ତି। ବିଗତ ବର୍ଷ ଫନି,ଚଳିତବର୍ଷ ଅମ୍ଫନ ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ କରୋନା ଭଳି ମହାମାରୀ ଚାଷୀକୂଳର ମେରୁଦଣ୍ଡକୁ ଦୋହାଲାଇ ଦେଇଥିବା ବେଳେ ଚାଷୀଟିଏ ଅନ୍ୟ ମୁହଁରେ ଦାନା ଯୋଗାଇବାକୁ ଅଣ୍ଟା ଭିଡ଼ିଲାଣି। ବର୍ଷାଦିନିଆ ପରିବାଚାଷ ସାଙ୍ଗକୁ ଧାନ,କପା ଚାଷପାଇଁ ଚାଷୀକୂଳ ପ୍ରସ୍ତୁତି ଆରମ୍ଭ କରିଥିବା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଦେଖାଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାର କୃଷିକ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଜାରି ରଖିଥିବା ବେଳେ କୃଷକମାନଙ୍କ ବିକାଶପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାମନାଗୁଡା ବ୍ଲକର ବିଭିନ୍ନ ସ୍ଥାନ ସମ୍ମନ୍ୱିତ କୃଷି କାର୍ଯ୍ୟ ପାଇଁ ଉପଯୋଗୀ କ୍ଷେତ୍ର। ଏହିଠାରେ ଉନ୍ନତମାନର ପରିବା, ଧାନ, ମତ୍ସ୍ୟଚାଷ ଉତ୍ପାଦନ ପାଇଁ ବିଭିନ୍ନ ସୁଯୋଗ ରହିଛି। ଅଧିକାଂଶ ସ୍ଥାନରେ ବିଭିନ୍ନ ଅର୍ଥ କାରୀ ଓ ଶସ୍ୟ ଜାତୀୟ ଫସଲ ଚାଷୀମାନଙ୍କ କିଛି ମାତ୍ରାରେ ଆର୍ôଥକ ସ୍ୱଛଳତା ଆଣିପାରିଥିଲା। ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ କିସମ ବିହନର ଅତ୍ୟଧିକ ଦରବୃଦ୍ଧି ସହ ନିମ୍ନମାନର ବିହନ ଯୋଗାଣ ଓ ଅତ୍ୟଧିକ ମଜୁରୀ ବୃଦ୍ଧି ତେବେ ଉତ୍ପାଦନ ପରେ ଉତ୍ପାଦିତ ଦ୍ରବ୍ୟର ଆଶାତୀତ ମୂଲ୍ୟ ହ୍ରାସ ଯୋଗୁଁ ଚାଷୀକୂଳ ଚାଷକାର୍ଯ୍ୟ ପ୍ରତି ମୁହଁ ଫେରାଇ ନେଉଛନ୍ତି।

ରାମନାଗୁଡା ଅଞ୍ଚଳରେ ଉତ୍ପାଦିତ ହେଉଥିବା ପରିବା ମଧ୍ୟରେ ବାଇଗଣ, ଟମାଟୋ, ଅଲଡି ଆଦି ବିଭିନ୍ନ ଧରଣର ପରିବା ଅମଳ ସମୟରେ ବଜାର ଚାହିଦା ସାଙ୍ଗକୁ ଶୀତଳ ଭଣ୍ଡାର ନଥିବା ଯୋଗୁଁ ଉତ୍ପାଦିତ ପରିବାକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ଚାଷୀ ବାହାର ବେପାରୀଙ୍କୁ ଦେବାକୁ ବାଧ୍ୟ ହେଉଛନ୍ତି। ପରବର୍ତ୍ତୀ ସମୟରେ ସେହି ବେପାରୀ ମାନଙ୍କୁ ଉଚ୍ଚା ଦରରେ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ସମୟରେ ଚାଷକାର୍ଯ୍ୟ ପାଇଁ ପାରିଶ୍ରମିକ ବୃଦ୍ଧି ସହ ବ୍ୟାଙ୍କ ଓ ସମବାୟ ସମିତି ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ସୁଯୋଗ ସୃଷ୍ଟି କରାଯାଇପାରିଲେ ଶ୍ରମିକମାନଙ୍କୁ ଚାଷକାର୍ଯ୍ୟ ପାଇଁ ଆଗ୍ରହ ସୃଷ୍ଟି କରିପାରିଲେ ଚାଷକାର୍ଯ୍ୟରେ ଉନ୍ନତି ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।