୭ ଲକ୍ଷ ଟଙ୍କାର ଗୁଟଖା ଓ ସିଗାରେଟ ଜବତ, ୨ ଗିରଫ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ପୁଲିସ ଏକ ଗୁଟଖା ଓ ସିଗାରେଟ ବୋଝେଇ ଟ୍ରକ ଜବତ କରିବା ସହ ୨ଜଣଙ୍କୁ ଗରିଫ କରିଛି। ଜବତ ଗୁଟଖା ଓ ସିଗାରେଟର ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ରଶ୍ମୀ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଟ୍ରକଟି ବ୍ରହ୍ମପୁରରୁ ଗୁଟଖା ଏବଂ ସିଗାରେଟ ନେଇ ଗୁଣୁପୁର ଆସିଥିଲା। ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ନିକଟରେ ଅଟକି ଥିବାବେଳେ ଗୁଣୁପୁର ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ଉକ୍ତ ଟ୍ରକରୁ ବିଭିନ୍ନ ବ୍ରାଣ୍ଡର ଗୁଟଖା ଓ ୧୭ବସ୍ତା ସିଗାରେଟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଟ୍ରକ ମାଲିକ ପଞ୍ଚାନନ ପ୍ରଧାନ ଏବଂ ଟ୍ରକ ଚାଳକ ବୁଦ୍ଧିଆ ଶବରଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ତମାଖୁ ଜାତ ସାମଗ୍ରୀ ମଗାଇଥିବା ଏସ୍ ନାଗେଶ୍ୱର ରାଓ, ଶିବା, ଜଗନ୍ନାଥ ରାଓ ଏବଂ ବି ସନ୍ତୋଷଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି।