ରାମ ମନ୍ଦିର ଟ୍ରଷ୍ଟ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ

ଅଯୋଧ୍ୟା,ଏଜେନ୍ସି : ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବହନ କରିଥିବା ଟ୍ରଷ୍ଟ ଆକାଉଣ୍ଟରୁ କ୍ଲୋନଚେକ୍ ବଳରେ ୬ ଲକ୍ଷ ଟଙ୍କା ଉଠା ଯାଇଥିବା ଜଣାପଡ଼ିଛି। ତୃତୀୟ କ୍ଲୋନଚେକ୍ ବଳରେ ବ୍ୟାଙ୍କରୁ ଟଙ୍କା ଉଠାଇବା ଉଦ୍ୟମ ଚାଲିଥିବାବେଳେ ମ୍ୟାନେଜରଙ୍କ ମନରେ ସନ୍ଦେହଜାତ ହୋଇଥିଲା। ସେ ଉକ୍ତ ଚେକଟିକୁ ଯାଞ୍ଚ କରିବାରୁ ଠକେଇ ମାମଲା ସାମ୍ନାକୁ ଆସିଥିଲା। ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାରେ ଏଫଆଇଆର୍ ଦାଖଲ କରାଯାଇଛି। ଅଯୋଧ୍ୟା ପୁଲିସର ସାଇବର ସେଲ୍ ଏହି ଠକେଇର ଯାଞ୍ଚ ଦାୟିତ୍ୱ ବହନ କରିଛି। ଅଯୋଧ୍ୟାର ସିଓ ରାଜେଶ ରାୟଙ୍କ ସୂଚନା ମୁତାବକ  ଲଖନୌର ଗୋଟିଏ ବ୍ୟାଙ୍କରେ ସେପ୍ଟେମ୍ବର ପହିଲାରେ କ୍ଲୋନଚେକ୍ ଦାଖଲ କରି ଅଢ଼େଇ ଲକ୍ଷ ଟଙ୍କା ଓ ୩ ସେପ୍ଟେମ୍ବରରେ ୩.୫ ଲକ୍ଷ ଟଙ୍କା ଉଠାଇ ନିଆଯାଇଛି। କିନ୍ତୁ ତୃତୀୟ ବାର ଦାଖଲ କରାଯାଇଥିବା କ୍ଲୋନଚେକ୍ ଉପରେ ୯.୮୬ ଲକ୍ଷ ଟଙ୍କା ଲେଖା ଯାଇଥିବାରୁ ବ୍ୟାଙ୍କ ଅଧିକାରୀ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାସଚିବ ଏତେ ଟଙ୍କା ଦେବା ପାଇଁ ବ୍ୟାଙ୍କ ଅଧିକାରୀଙ୍କୁ ମନା କରି ଦେଇଥିଲେ। ଟ୍ରଷ୍ଟ ଆକାଉଣ୍ଟ ପରିଚାଳନା ଦାୟିତ୍ୱ ଚମ୍ପତ ରାୟ ଓ ଡକ୍ଟର ଅନୀଲ ମିଶ୍ରଙ୍କ ଉପରେ ନ୍ୟସ୍ତ କରାଯାଇଛି।