ନେପାଳରେ ନିର୍ମାଣ ହେବ ରାମମନ୍ଦିର : ଓଲି

କାଠମାଣ୍ଡୁ,ଏଜେନ୍ସି: ନେପାଳ ପ୍ରଧାନମନ୍ତ୍ରୀ କେପି. ଶର୍ମା ଓଲି ତାଙ୍କ ଦେଶରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରିବେ। ପୂର୍ବରୁ ସେ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି କହିଥିବାବେଳେ ଏବେ ସେଠାରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଓଲି ନେପାଳରେ ଥିବା ଅଯୋଧ୍ୟାପୁରୀ ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି ଦାବି କରିଥିଲେ। ସେ କହିଥିଲେ ଯେ, ରାମଙ୍କ ଜନ୍ମସ୍ଥାନ ନେପାଳରେ। ଭାରତ ଭୁଲ ତଥ୍ୟ ଆଧାରରେ ଉତ୍ତରପ୍ରଦେଶର ଅଯୋଧ୍ୟାକୁ ରାମଙ୍କ ପ୍ରକୃତ ଜନ୍ମସ୍ଥାନ କହୁଛି। ତେବେ ଓଲିଙ୍କ ଏହି ମନ୍ତବ୍ୟକୁ ଭାରତରେ ପ୍ରବଳ ବିରୋଧ କରାଯାଇଥିଲା। କେବଳ ଭାରତରେ ନୁହେଁ, ନେପାଳରେ ବି ରାଜନୈତିକ ଦଳ ଏବଂ ସାଧାରଣ ଜନତା ଓଲିଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ। ଖୋଦ ଓଲିଙ୍କ ଦଳର ନେତାମାନେ ଏହାକୁ ବିରୋଧ କରିଥିଲେ। ଏହା ସତ୍ୱେ ପ୍ରଧାନମନ୍ତ୍ରୀ ଓଲି ନିଜ ଜିଦରେ ଅଟଳ ରହିଥିଲେ ଏବଂ ସେ ଉକ୍ତ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।