ଜୁନ୍‌ ୯ ସୁଦ୍ଧା ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ଦାବି

ଚଣ୍ଡିଗଡ଼,ଏଜେନ୍ସି: ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଥିବା ଚାଷୀ ସଂଗଠନ ପୁଣି କେନ୍ଦ୍ରକୁ ଦେଲେ ମହଲତ । ଜୁନ୍‌ ୯ ସୁଦ୍ଧା କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କୁ ଗିରଫ କରାଯାଉ ବୋଲି ଭାରତୀୟ କିଷାନ ୟୁନିଅନ (BKU)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ଦାବି କରିଛନ୍ତି । ଗତ ମଙ୍ଗଳବାର ପବିତ୍ର ଗଙ୍ଗାରେ ମେଡାଲ ବିସର୍ଜନ କରିବାକୁ ଯାଇଥିବା ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ଏହି ସଂଗଠନ ଅଟକାଇଥିବା ବେଳେ କେନ୍ଦ୍ରକୁ ୫ଦିନର ଡେଡ୍‌ଲାଇନ୍‌ ଦେଇଥିଲା । ଏହାପରେ ଆଜି ପୁଣି କେନ୍ଦ୍ର ସରକାରଙ୍କ ନିକଟରେ ନୂଆ ଦାବି ରଖିଛନ୍ତି ।

ଜୁନ୍‌ ୯ ସୁଦ୍ଧା ଯଦି ବ୍ରିଜଭୂଷଣଙ୍କୁ ଗିରଫ କରାନଯାଏ ତେବେ ଚାଷୀ ସଂଗଠନ ଦିଲ୍ଲୀ ଜନ୍ତରମନ୍ତରଠାରେ ଧାରଣାରେ ବସିବ ବୋଲି ଟିକାୟତ ଚେତାବନୀ ଦେଇଛନ୍ତି । ଏନେଇ ସେ କହିଛନ୍ତି, “ସରକାର ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ଦାବି ଉପରେ ପ୍ରତିକ୍ରିୟା ରଖୁ । ଯଦି କେନ୍ଦ୍ର ସରକାର ଏପରି ନକରନ୍ତି ତେବେ କୁସ୍ତିଯୋଦ୍ଧାଙ୍କ ସହିତ ଚାଷୀ ସଂଗଠନ ମଧ୍ୟ ଜନ୍ତର ମନ୍ତରଠାରେ ଧାରଣାରେ ବସିବ । ଏହାସହିତ ସାରା ଦେଶରେ ପଞ୍ଚାୟତ ବସିବ । ଯଦି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବା ଲାଗି ଅନୁମତି ଦିଆଯାଏ ନାହିଁ, ତେବେ ଆନ୍ଦୋଳନ ନେଇ ଘୋଷଣା କରାଯିବ ।”