ରାକେଶ ଦିବ୍ୟାଙ୍କୁ କହିଲେ ଆଇ ଲଭ୍ ୟୁ

ଆକ୍ଟର ରାକେଶ ଓଲିଉଡ୍ ବିୟୁଟି ଦିବ୍ୟାଦିଶାଙ୍କୁ କହିଛନ୍ତି, ଆଇ ଲଭ୍ ୟୁ। ପାଠକବନ୍ଧୁ! ଇଏ ରିୟଲ୍ ଲାଇଫର କଥା ନୁହଁ, ରିଲ୍ ଲାଇଫର। ସୁଟିଂ ଚାଲିଥିବା ନୂଆ ଓଡ଼ିଆ ଫିଲ୍ମ ‘ତୁ କହିଦେ ଆଇ ଲଭ୍ ୟୁ’ର ରୋମାଣ୍ଟିକ୍ ସିକ୍ୱେନ୍ସ। ଫିଲ୍ମର ମେଲ୍ ଲିଡ୍ରେ ଅଛନ୍ତି ରାକେଶ ଓ ଫିମେଲ୍ ଲିଡ୍ କରୁଛନ୍ତି ଦିବ୍ୟାଦିଶା ମହାନ୍ତି। ଅନ୍ୟତମ ନାୟିକା ଅଛନ୍ତି ସନନ୍ମିତା।

‘ଲଭ୍ ପ୍ରମିଜ୍’ ଜରିଆରେ ଓଲିଉଡ୍ରେ ଡେବ୍ୟୁ କରିଥିଲେ ରାକେଶ ଆଉ ଦିବ୍ୟାଦିଶା ପ୍ରଥମ କରି ଦେଖିବାକୁ ମିଳିଥିଲେ ‘ସୁନ୍ଦରଗଡ଼ର ସଲ୍ମାନ ଖାନ୍’ ଫିଲ୍ମରେ। ଏ ଫିଲ୍ମରେ ଦିବ୍ୟାଦିଶାଙ୍କ ନାୟକ ଥିଲେ ହ୍ୟାଣ୍ଡସମ୍ ବୟ ବାବୁସାନ୍। ବର୍ତ୍ତମାନ ‘ତୁ କହିଦେ ଆଇ ଲଭ୍ ୟୁ’ ପାଇଁ ଏକାଠି ହୋଇଥିବା ଏ ଯୋଡ଼ିଙ୍କୁ ନେଇ ଢେର୍ ଚର୍ଚ୍ଚା ଚାଲିଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ।

ବିଏମ୍ ପ୍ରଡକ୍ସନରେ ତିଆରି ଚାଲିଥିବା ଏ ଫିଲ୍ମର ପ୍ରଯୋଜକ ବିକ୍ରମ ମହାପାତ୍ର ଓ ପ୍ରଭାତ ମହାପାତ୍ର। ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ସଂଳାପ ଲେଖିବା ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟବ୍ରତ ନାୟକ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୁର୍ଗା, ନବ ଓ ସରୋଜ। ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ, ଅନନ୍ୟା, ଅମ୍ରିତା ଭାରତୀ ପଣ୍ଡା ଓ ଅମ୍ରିତା ନାୟକ ଫିଲ୍ମର ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି।

ରାକେଶ, ଦିବ୍ୟାଦିଶାଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟ ଚରିତ୍ରରେ ମିହିର ଦାସ, ପ୍ରୀତିରାଜ, ନମ୍ରତା ଦାସ, ପ୍ରଜ୍ଞା, ଜୀବନ ପଣ୍ଡା, ସନ୍ତୋଷ ନାୟକ ଅଭିନୟ କରିଛନ୍ତି। ସେପ୍ଟେମ୍ବର ୧୩ ତାରିଖରେ ଫିଲ୍ମଟି ରିଲିଜ୍ କରିବାକୁ ଯୋଜନା ରଖିଛି ପ୍ରଡକ୍ସନ ଟିମ୍।