୨୦୧୯-୨୦ ରାଜ୍ୟସଭା ରିପୋର୍ଟ: ୫ମ ସର୍ବାଧିକ ଭାବେ ସଂସ୍କୃତ ଭାଷା ବ୍ୟବହୃତ

ନୂଆଦିଲ୍ଲୀ,ଏଜେନ୍ସି: ୨୦୧୯ ଓ ୨୦ରେ ରାଜ୍ୟସଭାରେ ବହୁଳଭାବେ ବ୍ୟବହୃତ ହୋଇଥିବା ଭାଷା ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ତଦନୁଯାୟୀ ହିନ୍ଦୀ ଭାଷା ଏହି ତାଲିକାର ସର୍ବାଗ୍ରେ ଥିବାବେଳେ ସଂସ୍କୃତକୁ ୫ମ ସ୍ଥାନ ମିଳିଛି। ହିନ୍ଦୀ ପଛକୁ ତେଲୁଗୁ, ଉର୍ଦ୍ଦୁ ଓ ତାମିଲ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ପ୍ରକାଶ ପାଇଛି। ତେବେ ଇଂରାଜୀ ଓ ଅନ୍ୟ ଆଞ୍ଚଳିକ ଭାରତୀୟ ଭାଷା ତୁଳନାରେ ସଂସ୍କୃତ ଭାଷାର ଏଭଳି ବ୍ୟବହାର ସମସ୍ତଙ୍କୁ ବିସ୍ମିତ କରିଛି।

୨୦୦୪-୧୭ ତୁଳନାରେ ୨୦୧୯-୨୦ରେ ରାଜ୍ୟସଭାରେ ବ୍ୟବହୃତ ଭାଷା ପାଞ୍ଚଗୁଣ ଅଧିକ ବ୍ୟବହୃତ ହୋଇଥିବା ଜଣାପଡିଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ସବୁବେଳେ ଗୃହରେ ମାତୃଭାଷା ବ୍ୟବହାର କରିବାକୁ ସଦସ୍ୟଙ୍କୁ ପରାମର୍ଶ ଦେଇଥାନ୍ତି। ଭାରତୀୟ ସମ୍ବିଧାନରେ ୨୨ଟି ଆଞ୍ଚଳିକ ଭାଷାକୁ ସ୍ୱୀକୃତି ମିଳିଥିବାବେଳେ ରାଜ୍ୟସଭାରେ ଏହି ଭାଷା ବ୍ୟବହାର ଉପରେ କୌଣସି କଟକଣା ଲାଗୁ କରାଯାଇନାହିଁ। ଗୃହରେ ଆଞ୍ଚଳିକ ଭାଷାକୁ ଜାତୀୟ ଭାଷାରେ ରୂପାନ୍ତରିତ କରିବାର ସୁବିଧା ଉପଲବ୍ଧ ହୋଇଥିବାରୁ କୌଣସି ସମସ୍ୟା ଉପୁଜିନଥିବା କୁହାଯାଇଛି।

୨୦୧୮ରୁ ୨୦୨୦ ମଧ୍ୟରେ ଡୋଗ୍ରି, କାଶ୍ମୀରୀ, କୋଙ୍କଣି ଓ ସାନ୍ଥାଳୀ ଭାଷାକୁ ପ୍ରଥମ ଥର ରାଜ୍ୟସଭାରେ ବ୍ୟବହୃତ ହୋଇଥିବାବେଳେ ଅନେକ ବର୍ଷର ବ୍ୟବଧାନ ପରେ ଆସାମୀ, ବୋଡୋ, ଗୁଜୁରାଟୀ, ମୈଥିଳୀ, ମଣିପୁରୀ ଓ ନେପାଳୀ ଭାଷା ବ୍ୟବହୃତ ହୋଇଥିବା ଜଣାପଡିଛି।