ରାଜଭବନ ଘେରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର କୃଷି ଆଇନ ବିରୋଧରେ ଆସନ୍ତା ୧୫ତାରିଖରେ ରାଜଭବନ ଘେରିବ ରାଜ୍ୟ କଂଗ୍ରେସ। କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନି କୃଷି ଆଇନ ଯୋଗୁଁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଏହି ଆଇନର ପ୍ରତ୍ୟାହାର ଦାବିରେ କୃଷକ ଦିଲ୍ଲୀ ସୀମାରେ ୪୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡା ପାଇଁ ପାଖାପାଖି ୬୦ଜଣ କୃଷକ ମୃତ୍ୟୁବରଣ କଲେଣି। ଏହା ସତ୍ତେ୍ୱ କେନ୍ଦ୍ର ସରକାର ନିଜ ଜିଦରେ ଅଟଳ ଅଛନ୍ତି। ଭାରତର ଅନ୍ନଦାତାଙ୍କ ଦୁର୍ଦ୍ଦଶା ପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତା ଓ କର୍ମୀମାନେ ପାୱାର ହାଉସ୍ ଛକଠାରୁ ଏକ ଶୋଭାଯାତ୍ରା ରାଜଭବନ ଅଭିମୁଖେ ବାହାରିବେ। ସେଠାରେ ବିରୋଧ ପ୍ରଦର୍ଶନ କରାଯିବ। ଏ ମଧ୍ୟରେ ୮ ଥର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ନଦାତାଙ୍କ ଦାବି ପ୍ରତି ସରକାର ତିଳେମାତ୍ର ଉଦାର ମନୋଭାବ ପୋଷଣ କରିନାହାନ୍ତି। ଏହି କଳା ଆଇନକୁ ପ୍ରତ୍ୟାହାର ଦାବିରେ ଅନ୍ନଦାତାମାନେ ଲଢ଼େଇ ଜାରି ରଖିଥିବା ବେଳେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପ୍ରମୁଖ ଚାଷୀ ସଂଗଠନ ଗୁଡ଼ିକ ପ୍ରତ୍ୟାଖାନ କରିଛନ୍ତି।
ଅନ୍ୟପଟରେ ସେ ପୁଣି କହିଛନ୍ତି ଯେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ବୃଦ୍ଧିରେ ପହଞ୍ଚିଛି। ଯାହାକି ୭୩ ବର୍ଷ ଇତିହାସରେ ପ୍ରଥମ। ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ପେଟ୍ରୋଲ ଉପରେ ଶୁଳ୍କ ଲିଟର ପ୍ରତି ୯ଟଙ୍କା ୨୦ପଇସା (ମେ ୨୦୧୪) ରୁ ବୃଦ୍ଧି କରି ବର୍ତ୍ତମାନ ୩୨ଟଙ୍କା ୯୮ ପଇସାରେ ପହଞ୍ଚାଇଛି। ଯାହାକି ୨୫୮ ପ୍ରତିଶତ ଅଧିକ। ସେହିଭଳି ଡିଜେଲ ଉପରେ ଶୁଳ୍କ ଲିଟର ପ୍ରତି ୩ଟଙ୍କା ୪୬ ପଇସା (ମେ ୨୦୧୪) ରୁ ବୃଦ୍ଧି କରି ବର୍ତ୍ତମାନ ୩୧ଟଙ୍କା ୮୩ ପଇସାରେ ପହଞ୍ଚାଇଛି। ଏହା ୮୨୦ ପ୍ରତିଶତ ଅଧିକ।