ନବରଙ୍ଗପୁର ସାଂସଦ ଓ ଝରିଗାଁ ବିଧାୟକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ରାଜୁର ସଫଳ ଚିକିତ୍ସା

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଞ୍ଚାୟତ ଧନପୁର ଗ୍ରାମର ହଳଧର ହରିଜନଙ୍କ ୭ ବର୍ଷର ଶିଶୁପୁତ୍ର ରାଜୁ ହରିଜନ ଆଜକୁ ୬ ମାସ ପୂର୍ବେ ମୁଣ୍ଡ ବ୍ୟଥା ହୋଇଥିଲା। ଏନେଇ ସେ ଘରେ ମା’ ମଇନା ହରିଜନକୁ ଜଣାଇଥିଲେ। ପରେ ଧୀରେ ଧୀରେ ମୁଣ୍ଡରେ ଯନ୍ତ୍ରଣା ବଢିବା ସହ ବାମ ଆଖି ଫୁଲିବା ଆରମ୍ଭ କରିଥିଲା। ରାଜୁର ମୁଣ୍ଡରେ ଏକ ବଡ ଟ୍ୟୁମର ହୋଇଥିବା ସେ ଜଣାପଡ଼ିବା ପରେ ସ୍ଥାନୀୟ ଡାକ୍ତର ତାଙ୍କୁ ଭୁବନେଶ୍ୱର କିମ୍ବା କଟକ ଯିବାକୁ ପରାମର୍ଶ ଦେଇଥିଲେ। ହଳଧର କୁଲି ମଜୁରୀ କରି ୫ ପ୍ରାଣୀ ବିଶିଷ୍ଟ କୁଟୁମ୍ବର ପ୍ରତିପୋଷଣ କରନ୍ତି। ଏହାପରେ ରାଜୁର ଉନ୍ନତ ଚିକିତ୍ସା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଭାଗ୍ୟକୁ ଆଦରି ରାଜୁକୁ ଘରେ ହିଁ ଜଡିବୁଟି ଔଷଧ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା ଚଳାଇଥିଲେ ପରିବାର ଲୋକେ।

ରାଜୁର କରୁଣ ଅବସ୍ଥା ଦେଖି ସ୍ଥାନୀୟ ଏକମ୍ବା ସରପଞ୍ଚ ଶ୍ରୀପତି ଭତରା ରାଜୁକୁ ସାଥିରେ ନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସଭବନକୁ ଯାଇଥିଲେ। ସେଠାରେ ସାଂସଦ ଶ୍ରୀ ମାଝୀ ରାଜୁ ସହ କିଛି ସମୟ ବାର୍ତ୍ତାଳାପ କରିବା ପରେ ତା ଯନ୍ତ୍ରଣା ଅନୁଭବ କରି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଶିଶୁଟିର ଉନ୍ନତ ଚିକିତ୍ସା ପାଇଁ ଦାୟିତ୍ୱ ଦେଇଥିଲେ। ବିଧାୟକ ରାଜୁକୁ କିମ୍ସରେ ଭର୍ତ୍ତି କରାଇଥିଲେ। ସେହି ମଧ୍ୟରେ ରାଜୁର ଟ୍ୟୁମର କ୍ୟାନସରରେ ପରିଣତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଏହାପରେ ବୋଝକୁ ନଳିତା ବିଡ଼ା ପରି ରାଜୁ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ପରେ କିମ୍ସରୁ ରାଜୁକୁ ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ କୋଭିଡ ଚିକିତ୍ସା ଜାରିରଖାଗଲା। ସେ ସୁସ୍ଥ ହେବାରୁ ଶିଶୁଙ୍କ ପାଇଁ ଉଦିଷ୍ଟ କ୍ୟାନ୍ସର ୟୁନିଟରେ ରାଜୁକୁ ଭର୍ତ୍ତି କରି ତାକୁ କେମୋ ଥେରାପି ଦିଆଯାଇଥିଲା।

ଦୀର୍ଘ ୩ ମାସ କାଳ ବିଧାୟକ ରାଜୁ ସହିତ ଜଡିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରାଉଛନ୍ତି। ଏବେ ପୂର୍ବ ତୁଳନାରେ ରାଜୁ ଅଧିକ ମାତ୍ରାରେ ସୁସ୍ଥ ଥିବା ଓ ଆଉ ଏକ ମାସ ମଧ୍ୟରେ ରାଜୁ ସମ୍ପୂର୍ଣ ସୁସ୍ଥ ହୋଇ ଗାଁକୁ ଫେରିବ ବୋଲି ବିଧାୟକ ଶ୍ରୀ ମାଝୀ ଜଣାଇଛନ୍ତି। ଗରିବ ଅସହାୟ ପରିବାରକୁ ସାଂସଦ ଓ ବିଧାୟକଙ୍କ ସାହାଯ୍ୟ ନେଇ ପରିବାର ଓ ଗ୍ରାମବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଝରିଗାଁ ବିଧାୟକ ଶ୍ରୀ ମାଝୀ ରାଜୁର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ କୃଷକ କଲ୍ୟାଣ କାର୍ଡରେ ହୋଇଥିବା ଜଣାଇଥିଲେ। ସରକାରଙ୍କ ତରଫରୁ ଏହିଭଳି ଗରିବ ଅସହାୟଙ୍କ ପାଇଁ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଅର୍ଥ ରାଶିର ବ୍ୟବସ୍ଥା ରହିଛି, ଆଗକୁ ଯଦି କେହି ଅସହାୟ ଆର୍ଥିକ ଅଭାବ ପାଇଁ ଚିକିତ୍ସାରୁ ବଞ୍ଚିତ ଥିବାର ଦେଖିବାକୁ ମିଳନ୍ତି ତା ହେଲେ ତୁରନ୍ତ ଜଣାଇବାକୁ କହିଛନ୍ତି। ଝରିଗାଁ ବିଧାୟକଙ୍କ ବଦାନ୍ୟତା ପାଇଁ ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇ ଥିବାବେଳେ ତାଙ୍କ ନିକଟରେ ଏଭଳି ଅନେକ ଅସହାୟ ସହାୟତା ପାଇ ସୁସ୍ଥ ହୋଇ ଫେରିଥିବାର ଜଣାଯାଇଛି।