ରାଜପୁର ରେଳ ଓଭରବ୍ରିଜ ଲୋକାର୍ପିତ 

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବହୁପ୍ରତିକ୍ଷୀତ ରାଜପୁର ଗ୍ରାମ ରେଳ ଓଭରବ୍ରିଜ ଲୋକାର୍ପିିତ ହୋଇଛି। ବରଗଡ଼ ସାଂସଦ ସୁରେଶ ପୁଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଓ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଉପସ୍ଥିତ ରହି ଏହି ରେଳ ଓଭରବ୍ରିଜକୁ ଉଦଘାଟନ କରିଛନ୍ତି। ଝାରସୁଗୁଡ଼ାରୁ ସବଡେଗା ଯାଇଥିବା ରେଳଧାରଣା ଉପରେ ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରେଳ ଓଭରବ୍ରିଜ ତିଆରି ହୋଇଛି। ଏହାଦ୍ୱାରା ରାଜପୁର, ଗଉଡ଼ମାଲ, ଲୁଇସିଂ, ଚାରଭାଟି ପଞ୍ଚାୟତ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୫୦ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ। ଏହି ଅବସରରେ ସାଂସଦ ଶ୍ରୀ ପୂଜାରୀ କହିଛନ୍ତି ଯେ, ଉକ୍ତ ଓଭରବ୍ରିଜର ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଥିଲେ। ଆଜି ତାଙ୍କର ଦାବି ପୂରଣ ହେବାସହ ରେଳ ଧାରଣା ଯୋଗୁ ଲୋକେ ଭୋଗୁଥିବା ସମସ୍ୟା ଦୂର ହେବ। ଉକ୍ତ କାର୍ଯ୍ୟକ୍ରମରେ ରାଧେଶ୍ୟାମ ପ୍ରଧାନ, ରଘୁ ନନ୍ଦନ ପଣ୍ଡା, ମଙ୍ଗଳ ସାହୁ, ରାଜପୁର ସରପଞ୍ଚ ଜତିନ ଦେଓ ପ୍ରମୁଖଙ୍କ ସହ ରେଳବାଇ ଅଧିକାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।