ତିନିଦିନ ପାଇଁ ରୁଷିଆ ଗସ୍ତରେ ଯିବେ ରାଜନାଥ

ନୂଆଦିଲ୍ଲୀ,ଏଜେନ୍ସି : ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ (ଏସସିଓ) ବୈଠକରେ ଯୋଗଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ରୁଷିଆ ଯାତ୍ରା କରିବେ। ସେ ତିନିଦିନ ପାଇଁ ରୁଷିଆ ଗସ୍ତରେ ଯାଉଛନ୍ତି। ଏହି ଅବସରରେ ସେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଜେଇ ସୋଇଗୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରତିରକ୍ଷା ବିଷୟରେ ଆଲୋଚନା କରିବେ। ଭାରତ-ଚୀନ ବିବାଦୀୟ ପରିସ୍ଥିତି କ୍ରମେ ଯୁଦ୍ଧ ଆଡ଼କୁ ଗତି କରୁଥିବା ବେଳେ ସାଂଘାଇ ବୈଠକ ଅନୁଷ୍ଠିତ ହେଉଛି। ଚୀନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗହି ଉକ୍ତ ବୈଠକରେ ଯୋଗଦେବାର ଅଛି। ଏସସିଓ ବୈଠକ ଅବସରରେ ରାଜନାଥ ସିଂହ ଓ ୱେଇ ଭେଟ ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସେ ବିଷୟରେ କିଛି କହିହେବନି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଜୁନ ପରଠାରୁ ରାଜନାଥ ସିଂହ ଦ୍ୱିତୀୟ ଥର ପାଇଁ ରୁଷିଆ ଗସ୍ତରେ ଯାଉଛନ୍ତି। ଜୁନ ୨୪ରେ ରାଜନାଥ ରୁଷିଆ ପରିଦର୍ଶନରେ ଯାଇ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଜୟ ଦିବସରେ ଯୋଗଦାନ କରିଥିଲେ। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ମଧ୍ୟ ଏସସିଓ ବୈଠକକୁ ଆମନ୍ତ୍ରଣ କରାଯାଇଛି। ଜୟଶଙ୍କର ସେପ୍ଟେମ୍ବର ୫ ସନ୍ଧ୍ୟାରେ ରୁଷିଆ ଅଭିମୁଖେ ଯାତ୍ରା କରିବେ। ଏସ୍ସିଓର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ଚକ୍ରରେ ଜୟଶଙ୍କର ଭାଗ ନେବେ।