ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ୫ ଓ ଅର୍ଜୁନ ପାଇଁ ୨୭ ମନୋନୀତ, ପୁଣି ବଞ୍ଚିତ ହେଲେ ସାକ୍ଷୀ ଓ ମୀରାବାଈ

ଭର୍ଚୁଆଲରେ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ

ନୂଆଦିଲ୍ଲୀ,ଏଜେନ୍ସି: ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ଦେଶର ଶ୍ରେଷ୍ଠ ମନୋନୀତ କ୍ରୀଡ଼ାବିତଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଉଥିଲା। ଚଳିତ ବର୍ଷ କିନ୍ତୁ କୋଭିଡ୍-୧୯ଜନିତ ସ୍ଥିତି ଯୋଗୁଁ ଏହି କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବନାହିଁ। ଏହା ଏକ ଭର୍ଚୁଆଲ ଉତ୍ସବ ହେବ ଓ ଦୂରଦର୍ଶନରେ ଏହାର ସିଧା ପ୍ରସାରଣ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଉତ୍ସବରେ ପୁରସ୍କାର ପାଇବା ଲାଗି ମନୋନୀତ କ୍ରୀଡ଼ାବିତ୍ ଓ ପ୍ରଶାସକମାନେ ଦେଶରେ ଥିବା ୧୬ଟି ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ସେଣ୍ଟରରେ ଉପସ୍ଥିତ ରହିବେ। ଯେଉଁ କ୍ରୀଡ଼ାବିତମାନେ ମନୋନୀତ ହୋଇଛନ୍ତି ସେମାନେ ସେମାନଙ୍କ ନିକଟସ୍ଥ ସାଇ ସେଣ୍ଟରକୁ ଯାଇ ଏହି ପୁରସ୍କାର ଭର୍ଚୁଆଲ ପ୍ରଣାଳୀରେ ଗ୍ରହଣ କରିବେ। ଏଣୁ ପୁରସ୍କାର ପ୍ରଦାନ ଉତ୍ସବକୁ ନେଇ ଯେଉଁ ସନ୍ଦେହ ରହିଥିଲା ତାହା କ୍ରୀଡ଼ା ମନ୍ତ୍ରଣାଳୟର ଏହି ଘୋଷଣା ପରେ ଦୂର ହୋଇଛି।
ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ସମେତ ସମସ୍ତ ପ୍ରକାର ଜାତୀୟ କ୍ରୀଡ଼ା ପୁରସ୍କାର ପାଇବା ଲାଗି ଚୟନ କମିଟି ୭୬ ଜଣଙ୍କ ନାମ ସୁପାରିସ୍ କରାଯାଇଥିଲା। ପୂର୍ବରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ଏଥିରେ ଆଉ ହସ୍ତକ୍ଷେପ କରିବେ ନାହିଁ ଓ ସୁପାରିସ୍ କରାଯାଇଥିବା ସମସ୍ତଙ୍କ ନାମକୁ ସ୍ୱୀକୃତି ଦେବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ବେଳେ ଶୁକ୍ରବାର ଜାତୀୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। କ୍ରିକେଟର ରୋହିତ ଶର୍ମାଙ୍କ ସମେତ ୫ ଜଣ ରାଜୀବ ଗାନ୍ଧୀ ଖେଳରତ୍ନ ଓ ପେସର ଈଶାନ୍ତ ଶର୍ମା ଓ ଆଥଲେଟ୍ ଦୂତୀ ଚାନ୍ଦଙ୍କ ସମେତ ୨୭ ଅର୍ଜୁନ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି। ଆସନ୍ତାବର୍ଷଠାରୁ ପୁରସ୍କାର ରାଶି ବୃଦ୍ଧି କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ବର୍ତ୍ତମାନ ଖେଳରତ୍ନ ଲାଗି ୭.୫ ଲକ୍ଷ ଓ ଅର୍ଜୁନ ପୁରସ୍କାର ଲାଗି ୫ ଲକ୍ଷ ଟଙ୍କା ଦିଆଯାଉଛି। ଆସନ୍ତାବର୍ଷ ଏହାର ପରିମାଣ ଯଥାକ୍ରମେ ୨୫ ଓ ୧୫ ଲକ୍ଷ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଅର୍ଜୁନ ପୁରସ୍କାର ପାଇଁ ୨୯ ଜଣଙ୍କ ନାମ ସୁପାରିସ ହୋଇଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଥିବା ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ମହିଳା ରେସଲର ସାକ୍ଷୀ ମଲିକ ଓ ୨୦୧୭ରେ ୱାର୍ଲ୍ଡ ଚାମ୍ପିଅନଶିପ ବିଜେତା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ପୁଣି ଥରେ ବଞ୍ଚିତ ହୋଇଛନ୍ତି।
କ୍ରୀଡ଼ା ମନ୍ତ୍ରଣାଳୟଠାରୁ ମିଳିଥିବା ସୂଚନା ଅନୁଯାୟୀ ପୁରସ୍କାର ରାଶି, ମାନପତ୍ର, ଫଳକ ଓ ବ୍ଲେଜରଗୁଡିକୁ ସାଇ ସେଣ୍ଟରକୁ ପଠାଇଦିଆଯିବ। ସେଠାରେ ମନୋନୀତ ବ୍ୟକ୍ତିମାନେ ବ୍ଲେଜର ପିନ୍ଧି ପୁରସ୍କାର ସହ ଅପେକ୍ଷା କରିବେ। ଆସନ୍ତା ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଭାଷଣ ଦେବା ପରେ ସାର୍ଟିଫିକେଟ ପ୍ରଦର୍ଶନ କରିବେ ଓ ସେଠାରେ ଉପସ୍ଥିତ ରହିବେ। ସାଇକେନ୍ଦ୍ରରୁ ଜଣଙ୍କ ପରେ ଜଣେ ପୁରସ୍କାର ବିଜେତା ମଝିରେ ଥିବା ଏକ ସ୍ଥାନକୁ ଆସି ପୁରସ୍କାର ଗ୍ରହଣ କରିବାର ଅଭିନୟ କରିବେ ଓ ପରେ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇ ନିଜ ବସିଥିବା ସ୍ଥାନକୁ ଫେରିଯିବେ। ସମସ୍ତ ବିଜେତା ଏହା କରିସାରିବା ପରେ ଭର୍ଚୁଆଲ ପୁରସ୍କାର ପ୍ରଦାନ ଉତ୍ସବର ପରିସମାପ୍ତି ହେବ। ସମସ୍ତ ୧୬ଟି ଯାକ ସାଇ ସେଣ୍ଟରରେ ଦୂରଦର୍ଶନ କ୍ୟାମେରା ଟିମ ରହିବେ ଓ ଏହାର ସିଧାସଳଖ ପ୍ରସାରଣ କରାଯିବ। ଆଇପିଏଲ ଖେଳିବାକୁ ଚାଲିଯାଇଥିବା ଖେଳରତ୍ନ ପୁରସ୍କାର ବିଜେତା ରୋହିତ ଶର୍ମା ଓ ଅର୍ଜୁନ ପୁରସ୍କାର ବିଜେତା ଈଶାନ୍ତ ଶର୍ମାଙ୍କ ନିକଟକୁ ମଧ୍ୟ ଉପରୋକ୍ତ ସମସ୍ତ ପୁରସ୍କାର ସାମଗ୍ରୀ ପଠାଇଦିଆଯିବ। ସେଠାରେ ଥିବା ଭାରତୀୟ ଦୂତାବାସରୁ ସେମାନେ ଏହା ଗ୍ରହଣ କରିବେ। ଏହିପରି ଭାବେ ଚଳିତ ବର୍ଷର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ।