ବଲାଙ୍ଗିର,ଏନ୍ଏନ୍ଏସ୍: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଛୁଟି କାଟିବା ପାଇଁ ଭାରତୀୟ ନୌବାହିନୀର ଆଇଏନଏସ ବିରାଟକୁ ବ୍ୟବହାର କରିଥିବା ତଥ୍ୟ ନୌସେନା ବିଭାଗରେ ନାହିଁ ବୋଲି ଜଣାଯାଇଛି। ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାରୀ ହେମନ୍ତ କୁମାର ପଣ୍ଡାଙ୍କୁ ଆରଟିଆଇ ଜରିଆରେ ମାଗିଥିବା ତଥ୍ୟର ଉତ୍ତରରେ ରକ୍ଷା ମନ୍ତ୍ରଣାଳୟର ମୁଖ୍ୟ କାର୍ଯ୍ୟାଳୟର ଭାଇସ ଏଡମିରାଲ ତଥା ସୂଚନା ଅପିଲ ଅଧିକାରୀ ବିଶ୍ୱଜିତ ଦାସଗୁପ୍ତ ଚିଠି ନଂ- ଡିଏଲ୍/୦୮୧୨/୬୭୪୬/ଆଇ/ଅପିଲରେ ଦର୍ଶାଯାଇଛି।
ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସାଧାରଣ ନିର୍ବାଚନ ସମୟରେ ପୂବତର୍ନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନିଜର ଅବସର ବିନୋଦନ ପାଇଁ ନୌବାହିନୀର ଆଇଏନଏସ ବିରାଟକୁ ବ୍ୟବହାର କରି କ୍ଷମତାର ଦୂରୁପଯୋଗ କରିଥିଲେ ବୋଲି ଅଭିଯୋଗ କରିଥିଲେ। ପରେ ଏ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। ରାଜୀବ ଗାନ୍ଧୀ ଜୀବିତ ନଥିବାରୁ କଂଗ୍ରେସ ଏହାର ସଠିକ ମୁକାବିଲା କରିନପାରି ବ୍ୟାକଫୁଟକୁ ଚାଲିଯାଇଥିଲା।
ଏହା ଏକ ଗୁରୁତର ଅଭିଯୋଗ ହୋଇଥିବାରୁ ଏହାର ସତ୍ୟାସତ୍ୟ ଜଣିବା ପାଇଁ ସୂଚନା କର୍ମୀ ପଣ୍ଡା ତିନି ସେନାର ମୁଖ୍ୟ ଦପ୍ତର ତଥା ସମନ୍ୱିତ ମୁଖ୍ୟ କାର୍ଯ୍ୟାଳୟକୁ ତଥ୍ୟ ମାଗିଥିଲେ। ତଥ୍ୟରୁ ଜଣାପଡ଼ିଛି ଯେ, ଆଇଏନଏସ ବିରାଟ ୟୁନାଇଟେଡ କିଙ୍ଗଡମର ପ୍ଲାଇମାଉଥରେ ୧୨ ମଇ ୧୯୮୭ ମସିହାରେ କାର୍ଯ୍ୟାରମ୍ଭ କରି ଆଟଲାଣ୍ଟିକା ମହାସାଗର, ଲୋହିତ ସାଗର ଏବଂ ଆରବ ସାଗର ଦେଇ ୨୨ ଅଗଷ୍ଟ ୧୯୮୭ରେ ମୁମ୍ବାଇରେ ପହଞ୍ଚିଥିଲେ।
ସେହିପରି ଗତ ୬ମାର୍ଚ୍ଚ ୨୦୧୭ ଦିନ ଏହି ନୌବାହିନୀର କାର୍ଯ୍ୟ ସମାପ୍ତ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀର୍ଘଦିନ ଧରି ଏହି ସମ୍ବେଦନଶୀଳ ବିଷୟକୁ ନେଇ ତଥ୍ୟ ସଂଗ୍ରହ ପାଇଁ ସୂଚନା କର୍ମୀ ପଣ୍ଡା ଉଦ୍ୟମ କରିଆସୁଛନ୍ତି ଏବଂ ତାଙ୍କୁ ନିର୍ଦ୍ଧିଷ୍ଟ ଭାବେ ସେନାମୁଖ୍ୟ ଦପ୍ତରରୁ ପୂର୍ବରୁ ଉତ୍ତର ଦିଆନଯିବାରୁ ସେ ଅପିଲ କରିଥିଲେ ଏବଂ ଅପିଲ ଅଧିକାରୀ ବର୍ତ୍ତମାନ ଏହି ତଥ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ଆଧାରରେ ଏଭଳି ଅଭିଯୋଗ ଉଠାଇଥିଲେ ବୋଲି ପଣ୍ଡା ପ୍ରଶ୍ନ କରିବା ସହ ଅଭିଯୋଗ ପ୍ରମାଣ କରିବାକୁ ଆହ୍ୱାନ ଦେଇଛନ୍ତି।