ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ପେରାରିବଲନ ଖଲାସ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ପେରାରିବଲନଙ୍କ ସଜା ସୁପ୍ରିମକୋର୍ଟ ଶେଷ କରିଛନ୍ତି । କୋର୍ଟ ନିଜ ବିଶେଷ ଶକ୍ତି ବଳରେ ପେରାରିବଲନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ପେରାରିବଲନ ୩୦ ବର୍ଷରୁ ଉର୍‌ଦ୍ଧ୍ୱ ସମୟ ହେବ ସଜା କାଟି ସାରିଲେଣି । ତାମିଲନାଡ଼ୁ ସରକାର ତାଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ ମଧ୍ୟ ରାଜ୍ୟପାଳ ଓ କେନ୍ଦ୍ର ସରକାର ଏହାକୁ ଝୁଲାଇ ରଖିଥିଲେ ବୋଲି ପେରାରିବଲନ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିଥିଲେ ।

ସୁପ୍ରିମକୋର୍ଟ ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାଯୁକ୍ତ ବେଞ୍ଚ କହିଛନ୍ତି ଯେ, ସମ୍ବିଧାନର ଧାରା ୧୬୧ ଅନ୍ତର୍ଗତ ରାଜ୍ୟପାଳଙ୍କଠାରେ କୌଣସି ଦୋଷୀର ସଜା ଛାଡ଼ କରିବାର ଅଧିକାର ରହିଛି । ରାଜ୍ୟ ସରକାରଙ୍କ ପରାମର୍ଶ ପରେ ରାଜ୍ୟପାଳ ଏପରି କରିଥାନ୍ତି । କିନ୍ତୁର ଏହାର ଫାଇଲ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପଠାଇବେ ବୋଲି ଧାରାରେ କୁହାଯାଇ ନାହିଁ । ପେରାରିବଲନଙ୍କ ମାମଲାରେ ଧାରା ୧୬୧ ଅନ୍ତର୍ଗତ ନିର୍ଣ୍ଣୟ ନେବାକୁ ରାଜ୍ୟପାଳ ବହୁ ବିଳମ୍ବ କରିଦେଲେ । ସେଥିପାଇଁ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରୁଛନ୍ତି ।