ରାଜସ୍ଥାନ ରାଜନୀତି: ଆସ୍ଥା ଜିତିଲେ ଗେହଲଟ୍ ସରକାର, ୨୧ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ମୁଲତବୀ

ଜୟପୁର,ଏଜେନ୍ସି: ଶୁକ୍ରବାର ରାଜସ୍ଥାନ ବିଧାନସଭାରେ ଅଶୋକ ଗେହଲଟ୍ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଆସ୍ଥା ଭୋଟ ଶେଷ ହେବା ପରେ ବାଚସ୍ପତି ବିଧାନସଭାକୁ ୨୧ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ବିଧାନସଭାର ୨୦୦ ବିଧାୟକଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଗେହଲଟ୍ଙ୍କୁ ୧୨୫ ଜଣ ଭୋଟ ଦେଇଥିଲା ବେଳେ ବିଜେପି ମାତ୍ର ୭୫ଟି ଭୋଟ ପାଇଥିଲା। ପାଇଲଟ୍ଙ୍କ ଗୋଷ୍ଠୀର ୧୯ ଓ ବିଏସ୍ପିର ୬, ଆରଏଲ୍ଡିର ଗୋଟିଏ, ୧୩ ସ୍ୱାଧୀନ, ବିଟିପିର ୨ ଓ କମ୍ୟୁନିଷ୍ଟ ପାର୍ଟିର ୨ ବିଧାୟକଙ୍କୁ ମିଶାଇ ଗେହଲଟ୍ଙ୍କୁ ୧୨୫ ଜଣ ସମର୍ଥନ କରିଥିଲେ। ବିଜେପିର ୭୨ ଓ ଆରଏଲ୍ପିର ୩ ବିଧାୟକ ଆସ୍ଥା ପ୍ରସ୍ତାବ ବିପକ୍ଷରେ ମତଦାନ କରିଥିଲେ। ଆସ୍ଥା ପ୍ରସ୍ତାବ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ବିଜେପିକୁ ତୀବ୍ର ସମାଲୋଚନା କରି କହିଥିଲେ ଯେ ସରକାର ଭାଙ୍ଗିବା ପାଇଁ ବିଜେପି ବହୁ ଉଦ୍ୟମ କରୁଥିଲା। ମାତ୍ର କଂଗ୍ରେସ ଏକଜୁଟ ହୋଇଯିବାରୁ ସେମାନଙ୍କର ସବୁ ଉଦ୍ୟମ ଫସର ଫାଟିଯାଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରିୱାଲ କହିଲେ, ରାଜସ୍ଥାନରେ ଶାହ କି ତାନାଶାହଙ୍କ କୌଣସି ଚାଲ୍ କାମ କଲାନି। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ନାମ ଉଚ୍ଚାରଣ କରିବାରୁ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଠୋଡ ପ୍ରବଳ ଆପତ୍ତିି କରିଥିଲେ। ମନ୍ତ୍ରୀ ଧାରିୱାଲ କହିଥିଲେ, ମହାରାଣା ପ୍ରତାପ ଆକବରଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ। ବିଜେପି ସବୁ ସ୍ଥାନରେ ସରକାର ଭାଙ୍ଗିବା ପରେ ରାଜସ୍ଥାନ ଉପରେ ଆଖି ପକାଇଥିଲା। ମାତ୍ର ମହାବୀର ଅଶୋକ ଗେହଲଟ୍ଙ୍କ ଦୃଢ଼ ନେତୃତ୍ୱ ନିକଟରେ ପରାଜୟ ସ୍ୱୀକାର କଲା। କଂଗ୍ରେସ ତା’ର ବିଧାୟକମାନଙ୍କୁ ଘେରାବନ୍ଦୀ କରି ରଖିଥିଲା ବୋଲି ବିଜେପି ଅଭିଯୋଗ କରୁଥିଲା। ଆସ୍ଥା ଜିତିବା ପାଇଁ କଂଗ୍ରେସର ପ୍ରସ୍ତୁତିକୁ ଯଦି ଘେରାବନ୍ଦୀ କୁହାଯାଏ, ତେବେ ରାଜସ୍ଥାନର କିଛି ବିଜେପି ବିଧାୟକମାନେ ଗୁଜରାଟକୁ କ’ଣ ରାସଲୀଳା କରିବାକୁ ଯାଇଥିଲେ। ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ପାଇଁ ରାତିଅଧରେ ରାଷ୍ଟ୍ରପତିଙ୍କୁ ନିଦରୁ ଉଠାଇ ଦିଆଯାଇଥିଲା। ଯେଉଁ ମୁହୂର୍ତ୍ତରେ ଫଡ଼ନାଭିସ୍ ସରକାର ଭାଙ୍ଗିଲା, ସେହିଦିନ ମୋଟା ଭାଇ ଓ ଛୋଟା ଭାଇ ଦୁହେଁ ଇସ୍ତଫା ଦେଇ ପଳାଇଯିବା ଉଚିତ ଥିଲା। ଆଲୋଚନାରେ ଭାଗ ନେଇ ବିଜେପି ନେତା ସତୀଶ ପୁନିୟା କହିଲେ, ମୁଁ ଆସ୍ଥା ଭୋଟ ପ୍ରସ୍ତାବକୁ ବିରୋଧ କରୁଛି।

୩୫ ଦିନ ଭିତରେ ୫ଟି ଫିଲିମ୍ ମୁକ୍ତିଲାଭ କରିଛି। ଶେଷ ଫିଲିମ୍ରେ ହୋଟେଲ ଫେୟାରମଣ୍ଟରେ ଇଟାଲିୟାନ ଖାଦ୍ୟ ଓ କ୍ରିକେଟ୍ର ମଜା ଚାଲିଥିଲା। ବିଧାୟକଙ୍କୁ ସାଉଁଟିବାରେ ରାଜସ୍ଥାନର ଯଥେଷ୍ଟ ସୁନାମ ଅଛି। ବିଜେପି ମୁଣ୍ଡରେ ଘୋଡ଼ା ବେପାର ଅଠା ଲଗାଯାଉଛି। ମାତ୍ର ସତ କହିଲେ, ଘୋଡ଼ାବେପାର କରି କଂଗ୍ରେସ ବିଏସ୍ପିର ସବୁ ହାତୀକୁ ଗିଳିପକାଇଛି। ଶୁକ୍ରବାର ବିଧାନସଭାରେ ସଚିନ ପାଇଲଟ୍ଙ୍କ ବସିବା ସ୍ଥାନ ବଦଳି ଯାଇଥିଲା। ତେଣୁ ବିପକ୍ଷ ଉପନେତା ରାଜେନ୍ଦ୍ର ରାଠୋଡ୍ ବାରମ୍ବାର ପାଇଲଟ୍ଙ୍କୁ ନାମ ଉଚ୍ଚାରଣ କରୁଥିଲେ। ରାଠୋଡଙ୍କ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ପାଇଲଟ୍ ବାଚସ୍ପତିଙ୍କୁ କହିଥିଲେ, ଆପଣ ମୋ’ର ଆସନ ପରିବର୍ତ୍ତନ କରିଛନ୍ତି। ମୁଁ ଭାବୁଥିଲି, ମୋ ଆସନ ଏଠାରେ କାହିଁକି ରଖାଯାଇଛି? ନଜର ପକାଇବାରୁ ଆସନ ନିକଟରେ ସୀମାଟିଏ ଅଛି। ସୀମାର ଗୋଟିଏ ପଟେ ଶାସକ, ଅନ୍ୟପଟେ ବିରୋଧୀ। ଦକ୍ଷ ସୈନିକଙ୍କୁ ସୀମା ନିକଟକୁ ପଠାଯାଇଥାଏ ବୋଲି ମୁଁ ଏବେ ଅନୁଭବ କରୁଛି। ସମୟ ଆସିଲେ ସବୁ ରହସ୍ୟ ଖୋଲିଯିବ। ବିଧାନସଭାକୁ ଆସିଛି ମାନେ ସୀମା ନିକଟରେ ଢାଲ ପରି ଠିଆ ହୋଇରହିବି। ବିପକ୍ଷର କୌଣସି ଚାଲକୁ ସଫଳ ହେବାକୁ ଦେବି ନାହିଁ।