ନୂଆଦିଲ୍ଲୀ: ରାଜସ୍ଥାନରେ ଗେହଲଟ ସରକାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପାର୍ଟି ମଧ୍ୟରେ ମତଭେଦ ଶେଷ ହେବାପରେ ଆସନ୍ତାକାଲି ଗେହଲଟ ସରକାରଙ୍କ ବିରୋଧରେ ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି। ରାଜ୍ୟପାଳଙ୍କ ଆଦେଶ ପରେ ଆସନ୍ତାକାଲିଠୁ ବିଧାନସଭା ଆରମ୍ଭ ହେବାକୁ ଯାଉଥିବାରୁ ଆଜି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜସ୍ଥାନ ବିଧାନସଭାରେ ବିଜେପି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ସ୍ଥିର ହୋଇଥିବା ଜଣାପଡ଼ିଛି।
ବିଜେପିର କହିନୁସାରେ, ଗେହଲଟ ସରକାରଙ୍କ ପାଖରେ ବହୁମତ ନାହିଁ। ବିଜେପି ନେତା ଗୁଲାବ ଚନ୍ଦ କଟୋରିୟା କହିଛନ୍ତି ଯେ, କଂଗୈସ ନିଜ ଘରେ କନା ସିଲେଇ କରି ଯୋଡ଼ିବାକୁ ଚାହୁଁଛି। ଅଶୋକ ଗେହଲଟ ସରକାର ହାରି ସାରିଛି। କାରଣ ବିଧାୟକ ଦଳ ବୈଠକରେ ମାତ୍ର ୭୧ ଜଣ ବିଧାୟକ ସାମିଲ ହୋଇଥିଲେ। ଅନ୍ୟପଟେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ କହିଛନ୍ତି କି, ସରକାରରେ ଅନେକ ମତଭେଦ ରହିଛି। ଆମେ ଆସନ୍ତାକାଲି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ।