ରାଜାରାଣୀ ସଙ୍ଗୀତ ମହୋତ୍ସବ ଆରମ୍ଭ; ମନ ମୋହିଲା ଶାସ୍ତ୍ରୀୟ ସଙ୍ଗୀତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର କରାଇବା।

ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା।

ଆଜି ସନ୍ଧ୍ୟାର ପ୍ରଥମ ଶିଳ୍ପୀଥିଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା ଡ଼. ଏସ. ସ୍ୱୋମ୍ୟାଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତର ବିଭିନ୍ନ ରାଗ ଓ ତାଳକୁ ନେଇ ସଙ୍ଗୀତ ପରିବେଷଣ । ପ୍ରଥମ ଅର୍ଘ୍ୟରେ ରାଗ ହଂସଧ୍ୱନୀ ବାତାପି ଗଣପତି ଏବଂ ରାଗ ପୁର୍ବୀ କଲ୍ୟାଣୀ ମିଶ୍ର ଚମ୍ପୁ ତାଳ ସହିତ ବିଭିନ୍ନ ରାଗ ଓ ତାଳରେ ସଙ୍ଗୀତ ପରିବେଶଣ କରିଥିଲେ। ତାଙ୍କୁ ବେହେଲାରେ ପଣ୍ଡିତ ଅମ୍ବର ଏସ କାନନ, ମୃଦଙ୍ଗମ୍‍ରେ ପଣ୍ଡିତ ପି ଶୁବ୍ରମଣ୍ୟମ ଏବଂ ଜଞ୍ଜିରାରେ ପଣ୍ଡିତ କେ ଗୋପାଲ କ୍ରିଷ୍ଣନ ସହଯୋଗ କରିଥିଲେ ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା କୌଳାସ ପାତ୍ରଙ୍କ ଦ୍ୱାରା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ବେହେଲା ବାଦନ । ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବେହେଲା ବାଦନ ବେଶ ହୃଦୟସ୍ପର୍ଶୀ ଥିଲା । ତାଙ୍କୁ ତାନପୁରାରେ କଳ୍ପନା ଓ ତବଲାରେ ପଣ୍ଡିତ ରାମଦାସ ପଲସୁଲେ ।