ବିବାହ ବନ୍ଧନରେ ଆବଦ୍ଧ ହେବେ ଶ୍ରଦ୍ଧା-ରାଜ୍

ନିର୍ବନ୍ଧ ଶେଷ, ପୁଣି ଗଢ଼ିବେ ଆଉ ଏକ କାହାଣୀ!

ପ୍ରଥମ ଦେଖାରେ ଆରମ୍ଭ ହୁଏ ସେମାନଙ୍କ ପ୍ରେମ। ମିଠା ମିଠା ଯୋଡିରେ ପ୍ରଥମ ଦେଖା ହିଁ ସୃଷ୍ଟି କରିଥିଲା ଗୋଟିଏ ନିଆରା ପ୍ରେମ କାହାଣୀ। ଲୁଚାଛପାର ପ୍ରେମ ସତ ହୁଏ ସେମାନଙ୍କର ଜୀବନରେ। ଏହି କାହାଣୀର ଗୋଟିଏ ପଟରେ ଓଲିଉଡ୍ ଟେଲି ଇଣ୍ଡଷ୍ଟ୍ରିର ନାୟକ ରାଜ୍ ଓ ଅନ୍ୟପଟରେ ଚୁଲବୁଲି ନାୟିକା ଶ୍ରଦ୍ଧା।

ବହୁ ପ୍ରତିକ୍ଷାର ଅନ୍ତ ପରେ ରାଜ୍ ଓ ଶ୍ରଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଯୋଡିଙ୍କ ନିର୍ବନ୍ଧ ମଧ୍ୟ ସମ୍ପନ୍ନ ହୋଇଛି। ସେମାନଙ୍କୁ ଓଲିଉଡ୍ ଇଣ୍ଡଷ୍ଟ୍ରି ଓ ପ୍ରଶଂସକମାନଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଶ୍ରଦ୍ଧା-ରାଜଙ୍କ ଯୋଡିକୁ ନେଇ ଏବେ ଆଉ ଏକ କାହାଣୀର ଫର୍ଦ୍ଦ ତିଆରି କରିବାକୁ ଯାଉଛି।

ରାଜ୍ ଓ ଶ୍ରଦ୍ଧାଙ୍କ ପ୍ରେମ କାହାଣୀରେ ଲୁଚି ରହିଛି ଅନେକ ଟ୍ୱିଷ୍ଟ୍। ଏକ ଓଡିଆ ଘରୋଇ ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘ମିଠା ମିଠା ଯୋଡି’ରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ପରେ ଉଭୟ ଓଡିଆ ଫିଲ୍ମ ‘ମିଠା ମିଠା’ରେ ନଜରକୁ ଆସିଥିଲେ।

ରାଜ୍ ବିଭିନ୍ନ ସିରିୟଲରେ ଅଭିନୟ କରିଥିବାବେଳେ ଓଡିଆ ଧାରାବାହିକ ‘ସାବିତ୍ରୀ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ରାଜ ଅନେକ ପ୍ରାମାଣିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇସାରିଛନ୍ତି। ସେହିପରି ଶ୍ରଦ୍ଧା ଓଡିଆ ଧାରାବାହିକ ‘ଆମ ଘର ଲକ୍ଷ୍ମୀ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ସେହିପରି ଓଡିଆ ଆଲବମ ‘ତୋ ବିନା’ ଓ ‘ତତେ ଭଲ ପାଇବାକୁ’ରେ ଏମାନଙ୍କ ଯୋଡି ସୋସିଆଲ ମିଡିଆରେ ସୁପରହିଟ୍ ହୋଇଥିଲା। ଇତିମଧ୍ୟରେ ରାଜ୍ ଓ ଶ୍ରଦ୍ଧା ନିର୍ବନ୍ଧ କଟକ ବିରିବାଟୀ ସ୍ଥିତ ମା’ ତାରିଣୀ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଖୁବ୍ ଶୀଘ୍ର ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାଯାଇଛି।

ଉଭୟଙ୍କ ପ୍ରେମ କାହାଣୀକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି। ସେମାନେ ଉଭୟଙ୍କୁ ଶୁଭେଚ୍ଛା ଦେବାସହ ସୋସିଆଲ ମିଡିଆରେ ରାଜ୍-ଶ୍ରଦ୍ଧାଙ୍କ ନିର୍ବନ୍ଧ ସମୟର କେତେକ ଫଟୋ ଭାଇରାଲ ହେବାରେ ଲାଗିଛି।