ଭୁବନେଶ୍ୱରରେ ବର୍ଷା ବିତ୍ପାତ, ଶୁକ୍ରବାର ଖୋର୍ଦ୍ଧା ଓ ଯାଜପୁରର ସବୁ ସ୍କୁଲ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୁଧବାର ଭୋରରୁ ଆରମ୍ଭ ହୋଇଥିବା ଏହି ଲଘୁଚାପ ଜନିତ ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ନଇବଢ଼ିର ଭ୍ରମ ସୃଷ୍ଟି କରିଛି। ଭୁବନେଶ୍ୱରରେ ଲକ୍ଷ୍ମୀସାଗର ଛକ, ରସୁଲଗଡ଼ ବମିଖାଲ ଓଭରବ୍ରିଜ ତଳ, ଇସ୍କନ ସମ୍ମୁଖ ଏନ୍ଏଚ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ପ୍ରଭୃତି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣିର ସ୍ରୋତ ନଦୀ ବଢ଼ିର ଭ୍ରମ ସୃଷ୍ଟି କରୁଛି। ଆଉ ଦୁଇ ଦିନ ପରେ ଦୀପାବଳି ଥିବାରୁ ବାଣ ଦୋକାନଗୁଡ଼ିକରେ ବର୍ଷା ଯୋଗୁଁ ବେପାର ଠପ ହୋଇଯାଇଛି। ଦୋକାନୀ ପାଲ ଘୋଡାଇ ଦୋକାନ ଭିତରେ ବସିଛନ୍ତି।

ପାଣିପାଗ ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଏପରି ବର୍ଷା ହେବାକୁ ଥିବାରୁ ବାଣ ଦୋକାନୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ବାଣ କିଣି ଦୋକାନ ଖୋଲି ବିକ୍ରିର ଆଶାକୁ ଲଘୁଚାପ ଜନିତ ବର୍ଷା ଛାରଖାର କରିଦେଇଛି।

ଗୁରୁବାର ସକାଳ ପାଣିପାଗ ବିଭାଗ ବୁଲେଟିନ ଅନୁଯାୟୀ ସକାଳ ସାଢ଼େ ୮ଟା ସୁଦ୍ଧା ପୁରୀ ଠାରେ ସବୁଠାରୁ ୧୬୬.୫ମିଲିମିଟର, ଗୋପାଳପୁରରେ ୧୦୪.୨ ମିଲିମିଟର, ଭୁବନେଶ୍ୱରରେ ୧୦୦.୨ମିଲିମିଟର, ପାରଦୀପରେ ୭୬.୬, କଟକରେ ୭୫ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ପୁରୀ ଜିଲ୍ଲାର କୃର୍ଷ୍ଣପ୍ରସାଦ ବ୍ଲକ୍ରେ ସବୁଠାରୁ ଅତ୍ୟଧିକ ୨୪୯.୪ ଏବଂ ଗଞ୍ଜାମର ଚିକିଟି ବ୍ଲକ୍ରେ ୨୦୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ପ୍ରଭୃତି ଜିଲ୍ଲାମାନଙ୍କରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ବର୍ଷାର ପ୍ରଭାବ କମିବ। କିନ୍ତୁ ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ।


ପାଣିପାଗ ବିଭାଗ ସୂଚନା ଅନୁଯାୟୀ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଘନୀଭୂତ ହେଉଛି, ଏବଂ ଏହା ଧିରେ ଧିରେ ଉତ୍ତର ପଶ୍ଚିମ ଆଡକୁ ଗତି କରି ଆନ୍ଧ୍ର ତଟ ଆଡକୁ ଯାଉଛି। ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାକୁ ଯାଉଥିବା ଜଣାଯାଇଛି। ଶୁକ୍ରବାର ସନ୍ଧ୍ୟା ଏହି ପରି ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି। ତେବେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ଖୋର୍ଦ୍ଧା ଓ ଯାଜପୁରର ସବୁ ସ୍କୁଲ ବନ୍ଦ କରାଯାଇଛି।